ଭୁବନେଶ୍ଵର: ଦଳ ଛାଡିବା ପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରଣ ବୟାନ । ନବୀନ ବାବୁ ମୋତେ ଫୋନ୍ କଲେ, ଗୃହରେ ଅନୁପସ୍ଥିତ ରହିବାକୁ କହିଥିଲେ ବୋଲି କହିଛନ୍ତି ଦେବାଶିଷ । ସେ ଆହୁରି କହିଛନ୍ତି, ମୁଁ ତାଙ୍କ ହିସାବରେ ଭୋଟ୍ ଦେବାକୁ ଯାଇନଥିଲି । କିଛି ଲୋକ ନବୀନ ବାବୁଙ୍କୁ ଦେଖା କରିବାକୁ ଦେଉ ନାହାଁନ୍ତି । ଭୂପିନ୍ଦର ସିଂଙ୍କୁ ମଧ୍ୟ ଦେଖା କରାଇଦେଲେନି । ମୁଁ ଦେଖା କରିବାକୁ ଚାହୁଁଛି ବୋଲି ନବୀନ ବାବୁଙ୍କୁ ଜଣାଇ ଦିଆଯାଉନି । ନବୀନ ନିବାସରେ ଥିବା ଆଦିତ୍ୟ ମହାପାତ୍ର ଆମେରିକାରେ ବସିଥିବା ତାଙ୍କ ମାଲିକଙ୍କୁ ପଚାରୁଥିବେ ବୋଲି କହିଛନ୍ତି ଦେବାଶିଷ ।

ସେ ଆହୁରି କହିଛନ୍ତି, ନିର୍ବାଚନ ବେଳେ ପ୍ରଚାର ମଙ୍ଗ ଧରିଲେନି ନବୀନ । ଏକା ପ୍ରଚାର କଲେ ପାଣ୍ଡିଆନ୍ । ବିଜୁ ବାବୁ ଓ ନବୀନ ବାବୁଙ୍କ ଫଟୋ ଉଠିଗଲା । ପାଣ୍ଡିଆନଙ୍କ ଫଟୋ ଲାଗିଲା । ଫଳସ୍ଵରୁପ ସ୍ୱାଭିମାନ ଓଡ଼ିଆ ସଠିକ୍ ଜବାବ ଦେଲେ ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ ।

ସେପଟେ କିନ୍ତୁ ଦେବାଶିଷଙ୍କୁ ସ୍ୱାର୍ଥପର ନେତା କହି ଟାର୍ଗେଟ୍ କଲେ ପ୍ରମିଳା ମଲ୍ଲିକ । କିଛି ସ୍ୱାର୍ଥପର ନେତା ଅଛନ୍ତି, ସ୍ୱାର୍ଥରେ ବାଧା ଆସିଲେ ଦଳ ଛାଡ଼ନ୍ତି । ଦଳ ଛାଡ଼ି ଦଳ ବିରୋଧରେ କୁହନ୍ତି । ସ୍ୱାର୍ଥପର ଲୋକ ଦଳରୁ ପଳେଇଲେ ଭଲ ହେବ, ଦଳ ଶୃଙ୍ଖଳାରେ ଚାଲିବ ବୋଲି କହିଛନ୍ତି ପ୍ରମିଳା । ପ୍ରମିଳା ଆହୁରି କହିଛନ୍ତି, ଦେବାଶିଷ ଅସୁସ୍ଥ ଅଛନ୍ତି, ପଦବୀ ସମ୍ଭାଳି ପାରିବେନି ବୋଲି ଇସ୍ତଫା ଦେଲେ । ଯେତେବେଳେ ପଦବୀ ଓ କ୍ଷମତା ଥିଲା ସେତେବେଳେ କାଇଁ କିଛି କହିଲେନି । ଏବେ କ୍ଷମତା ଚାଲିଗଲା ବୋଲି କହୁଛନ୍ତି ନୀତି ଆଦର୍ଶରୁ ଚାଲିଗଲା ।