ଅପରେସନ୍ ସିନ୍ଦୂରକୁ ନେଇ ପୁଣି ଏକ ବଡ଼ ଦାବି କଲେ ଟ୍ରମ୍ପ, କହିଲେ ମୋଦି କରିଥିଲେ ଅନୁରୋଧ!

ନୂଆଦିଲ୍ଲୀ: ପୁଣି ଥରେ ଭାରତ ପାକିସ୍ତାନ ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସମାନ ଦାବି କୁ ଦୋହରାଇବା ସହ ଏଥର ବି ଟ୍ରମ୍ପ କହିଛନ୍ତି ସେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରିଛନ୍ତି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବାର ଶ୍ରେୟ ନିଜ ଉପରକୁ ନେଇ ଏଥର ଟ୍ରମ୍ପ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଫୋନ୍ କରି କହିଥିଲେ, “ଆମେ ଯୁଦ୍ଧ କରିବୁ ନାହିଁ।” ଟ୍ରମ୍ପ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମେ ୭ ରୁ ୧୦ ଭିତରେ କରାଯାଉଥିବା ଆକ୍ରମଣକୁ ବନ୍ଦ କରିବା ପାଇଁ ସେ ୩୫୦ ପ୍ରତିଶତ ଶୁଳ୍କ ଲଗାଇବା ଏବଂ ବାଣିଜ୍ୟ ବନ୍ଦ କରିବାକୁ ଧମକ ଦେଇଥିଲେ, ଯାହା ପରେ ଉଭୟ ଦେଶ ଆତଙ୍କିତ ହୋଇଯାଇଥିଲେ। ଏବଂ ଯୁଦ୍ଧ ବନ୍ଦ କରିଥିଲେ । ତେବେ କହିରଖୁଛୁ ଯେ, ଟ୍ରମ୍ପ ବାରମ୍ବାର ଦାବି କରି ଆସୁଛନ୍ତି ଯେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବାରେ ସାହାଯ୍ୟ କରିଛନ୍ତି । ସେପଟେ କିନ୍ତୁ ଭାରତ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପକୁ ନିରନ୍ତର ଅସ୍ୱୀକାର କରିଆସିଛି।

ଗତକାଲି ଆମେରିକା-ସାଉଦି ନିବେଶ ଫୋରମକୁ ସମ୍ବୋଧିତ କରି ଟ୍ରମ୍ପ କହିଥିଲେ, “…ମୁଁ ବିବାଦ ସମାଧାନ କରିବାରେ ଭଲ, ଏବଂ ମୁଁ ସବୁବେଳେ ରହିଆସିଛି। ମୁଁ ଗତ କିଛି ବର୍ଷ ଧରି ଏଥିରେ ବହୁତ ଭଲ କାମ କରିଛି, ପୂର୍ବରୁ ମଧ୍ୟ। ମୁଁ ବିଭିନ୍ନ ବିବାଦ ବିଷୟରେ କହୁଛି… ଭାରତ, ପାକିସ୍ତାନ… ସେମାନେ ପରମାଣୁ ଆକ୍ରମଣ କରିବାକୁ ଯାଉଥିଲେ। ସେ ଉଭୟ ଦେଶକୁ କହିଥିଲେ ଯେ, ଯଦି ସେମାନେ ଏପରି ଯୁଦ୍ଧ ଜାରି ରଖିବେ ତେବେ ଟ୍ରମ୍ପ ଉଭୟ ଦେଶ ଉପରେ ୩୫୦ ପ୍ରତିଶତ ଶୁଳ୍କ ଲାଗୁ କରିବେ । ଏହାଛଡ଼ା ସେମାନେ ଆଉ ଆମେରିକା ସହିତ ବାଣିଜ୍ୟ କରିପାରିବେ ନାହିଁ। ଟ୍ରମ୍ପ ଦାବି କରିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ଉଭୟ ତାଙ୍କୁ ଏପରି ନକରିବାକୁ ଅନୁରୋଧ କରିଛନ୍ତି।”

ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ସେ ଉଭୟ ଦେଶକୁ କହିଥିଲେ, “ମୁଁ ଏହା କରିବାକୁ ଯାଉଛି (ଶୁଳ୍କ ଲାଗୁ କରିବା)… ମୁଁ ଚାହେଁ ନାହିଁ ଯେ ତୁମେମାନେ ପରସ୍ପର ବିରୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର କର, ଲକ୍ଷ ଲକ୍ଷ ଲୋକଙ୍କୁ ହତ୍ୟା କର । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ତାଙ୍କୁ ଫୋନ୍ କରି ଲକ୍ଷ ଲକ୍ଷ ଜୀବନ ବଞ୍ଚାଇବା ପାଇଁ ହ୍ୱାଇଟ୍ ହାଉସ୍ ଚିଫ୍ ଅଫ୍ ଷ୍ଟାଫ୍ ସୁସି ୱାଇଲ୍ସଙ୍କ ସମ୍ମୁଖରେ ଧନ୍ୟବାଦ ଜଣାଇଥିଲେ। ଟ୍ରମ୍ପ୍ ସେତେବେଳେ ଦାବି କରିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଫୋନ୍ କରି କହିଥିଲେ, “ଆମର କାମ ସରିଗଲା।” “ମୁଁ କହିଲି, ‘ତୁମର କାମ କ’ଣ ସରିଗଲା?’” ଟ୍ରମ୍ପ୍ ଦାବି କରିଥିଲେ ଯେ ମୋଦି ଉତ୍ତର ଦେଇଥିଲେ, “ଆମେ ଯୁଦ୍ଧକୁ ଯିବୁ ନାହିଁ।”