ରିଅଲିଟି ସୋ ରୁ ରିଅଲ୍ ଷ୍ଟାର୍: କିଛି ଏମିତି ଥିଲା ହ୍ୟମାନଙ୍କ କ୍ୟାରିୟର ଜୀବନ

Human Sagar: ଓଡ଼ିଶାର ସୁନାମଧନ୍ୟ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ । ଭୁବନେଶ୍ୱର ଏମ୍ସରେ ତାଙ୍କ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି । କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା । ଲିଭର୍‌ ଓ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ ହ୍ୟୁମାନ । ସେ ଶ୍ୱାସକ୍ରିୟା ଜନିତ ଅସୁବିଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡ଼ିତ ଥିଲେ । ତାଙ୍କୁ ଭେଣ୍ଟିଲେଟର୍‌ ସହାୟତାରେ ରଖାଯାଇଥିଲା । ଡାକ୍ତରଙ୍କ ସତଚେଷ୍ଟା ପରେ ବି ହ୍ୟୁମାନ୍‌ଙ୍କ ଦେହାନ୍ତ ହୋଇଛି ।

ହ୍ୟୁମାନ ସାଗର ହେଉଛନ୍ତି ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଚ୍ଛଦପଟ୍ଟ ଗାୟକ । ତାଙ୍କୁ ସ୍ଥାନୀୟ ଅଧିବାସୀ ଓଡ଼ିଶାର ଅରିଜିତ ସିଂ କହି ମଧ୍ୟ ସମ୍ବୋଧନ କରିଥାନ୍ତି । ତରଙ୍ଗ ଚ୍ୟାନେଲରେ ପ୍ରସାରିତ ରିୟଲିଟି ସୋ “ଭଏସ ଅଫ ଓଡ଼ିଶା ସିଜନ-୨”ରେ ଜିତିକରି ଲୋକଲୋଚନକୁ ଆସିଥିଲେ । ସଂଗୀତ ପ୍ରତି ତାଙ୍କର ନିଶା ଯୋଗୁଁ ସେ ଡାକ୍ତରୀ ପାଠପଢ଼ା ଅଧାରୁ ଛାଡିଦେଇଥିଲେ । ହ୍ୟୁମାନ ତୃତୀୟ ଶ୍ରେଣୀର ଛାତ୍ର ଥିବା ଅବସ୍ଥାରୁ ହିଁ ଗୁରୁ ଶ୍ରୀ ଶୁଭ୍ରାଂଶୁ ମିଶ୍ରଙ୍କର ସହାୟତାରେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ତାଙ୍କ ନିଜ ଘର ବଲାଙ୍ଗୀରର ଜିଲ୍ଲାର ଟିଟଲାଗଡ ସହରରେ । ପିଲାଟିବେଳୁ ସେ ବିଭିନ୍ନ ସଂଗୀତ ପ୍ରତିଯୋଗିତାରେ ଭାଗନେଇ ପୁରସ୍କାର ଜିତୁଥିଲେ । ତାଙ୍କର ଜେଜେବାପା ବିଭିନ୍ନ ସମ୍ବଲପୁରୀ ଲୋକଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ହ୍ୟୁମାନ ତାଙ୍କ ବାନ୍ଧବୀ ଶ୍ରୀୟାଙ୍କ ସହ ବିବାହ କରିଥିଲେ । ତାଙ୍କର ବାପା ଜଣେ ଅଲ ଇଣ୍ଡିଆ ରେଡ଼ିଓ ‘ବି’ ଗ୍ରେଡ଼ ଗାୟକ, ତାଙ୍କ ମାତା ଜଣେ ସଂଗୀତକାର ।

ସେ ଡାକ୍ତର ହେବା ପାଇଁ ମେଡିକାଲ କଲେଜରେ ଯୋଗ ଦେଇଥିଲେ, ମାତ୍ର ସଂଗୀତ ପ୍ରତି ତାଙ୍କର ଅହେତୁକ ଭଲ ପାଇବା ଏବଂ ନିଶା ଯୋଗୁଁ ପ୍ରଥମ ବର୍ଷରୁହିଁ ସେ ଡାକ୍ତରୀ ପାଠପଢ଼ା ଛାଡିଦେଇ ଚାଲିଆସିଥିଲେ ସଙ୍ଗୀତର ଦୁନିଆକୁ । ମାତ୍ର ୧୦ରୁ ୧୨ ବର୍ଷ ହେବ ହ୍ୟୁମାନଙ୍କ ସଂଗୀତ କ୍ୟାରିୟର । ମାତ୍ର ଏଇ କେଇଟା ବର୍ଷରେ ଶହଶହ ଆଲବମ୍, ଫିଲ୍ମ ଓ ମେଲୋଡିୟସ୍ ଗୀତ ଗାଇଛନ୍ତି । ଆଉ ହାତ ଗଣତି ରହିଛି ତାଙ୍କର କିଛି ଭଜନ । ୨୦୧୫ରେ ହ୍ୟୁମାନ୍ ଓଡ଼ିଆ ଫିଲ୍ମ ‘ଇସ୍କ ତୁ ହି ତୁ’ରେ ପ୍ରଥମ ଥର ପାଇଁ ଗୀତ ଗାଇଥିଲେ । ‘ଇସ୍କ ତୁ ହି ତୁ’ର ଟାଇଟଲ ସଂଗ ପାଇଁ ଖୁବ୍ ଲୋକପ୍ରିୟତା ପାଇଥିଲା ହ୍ୟୁମାନ୍ । ଆଉ ତା’ ପରେ ପରେ ଶହେରୁ ଅଧିକ ସିନେମାରେ ପାଇଥିଲେ ଗାଇବାର ସୁଯୋଗ । ଖାଲି ସିନେମା ନୁହେଁ, ଆଲବମରେ ବି ଅନେକ ଗୀତ ଗାଇ ଲୋକଙ୍କ ମନ କିଣିଥିଲେ ହ୍ୟୁମାନ ।

ସେ ୨୦୧୭ ମସିହାରେ ଗଜଲ ଗଜଲ ଗୀତ ନିମିତ୍ତ ସେ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଚକୋଲେଟ ପୁରସ୍କାର ଜିତିଥିଲେ । ସେ ଏକ ହିନ୍ଦୀ ଆଲବମ “ମେରା ୟେ ଜହାଁ “ରେ ମଧ୍ୟ କଣ୍ଠଦାନ କରିଛନ୍ତି । କେବଳ ସେତିକି ନୁହେଁ ଧିରେ ଧିରେ ସେ ରାଜନୀତି ପଟକୁ ଢ଼ଳିଥିଲେ ମଧ୍ୟ ରାଜନୈତୀକ କ୍ୟାରିୟର ଗଢ଼ିପାରିନଥିଲେ । ୩ ମାର୍ଚ୍ଚ ୨୦୧୯ରେ, ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ତେବେ ଆଜି ହ୍ୟୁମାନଙ୍କ ମୃତ୍ୟୁ ପରେ ଏବେ ତାଙ୍କୁ ଝୁରୁଛି ଓଡ଼ିଆ ସଂଗୀତ ଜଗତ ।