ପୁଣି ଚର୍ଚ୍ଚାରେ ଚୀନର ପାକିସ୍ତାନ ପ୍ରେମ । ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନ ଉପରେ ଚୀନ ଦେଖାଇ ଚାଲିଛି ଅହେତୁକ ଉଦାରତା । ସେ ପାକିସ୍ତାନର ମାନ୍ଦାବସ୍ଥା ସମୟରେ ଋଣ ହେଉ ବା ସାମରିକ ଜାହାଜ । ପାକିସ୍ତାନକୁ ଗୋଟିଏ ପରେ ଗୋଟିଏ ସାହାଯ୍ୟ କରିଚାଲିଛି ଚୀନ । ବର୍ତ୍ତମାନ ଚୀନ ପାକିସ୍ତାନକୁ ଦେବାକୁ ଯାଉଛି ସବ୍ ମେରାଇନ । ପୂର୍ବରୁ ମଧ୍ୟ ଫାଇଟର ଜେଟ, ହେଲିକପ୍ଟର ଓ ଡିଫେନ୍ସ ସିଷ୍ଟମକୁ ନେଇ ପାକିସ୍ତାନକୁ ଅନେକ ସହାୟତା କରିଛି ଚୀନ । ଏବେ ପୁଣି ପାକିସ୍ତାନକୁ ସବ ମେରାଇନ ପଠାଇବା ନେଇ ଚର୍ଚ୍ଚା ପରେ ଚୀନର ପାକିସ୍ତାନ ପ୍ରୀତି ପଦାରେ ପଡିଛି । ତେବେ ଚୀନ ପାକିସ୍ତାନକୁ ସବ୍ ମେରାଇନ ଦେବା ନେଇ କହିଛନ୍ତି ପାକିସ୍ତାନର ନୌସେନା ମୁଖ୍ୟ ଆଡମିରାଲ ନଦୀମ୍ ଅଶରଫ । ତେବେ ଏହି ଚୁକ୍ତି ସୁରୁଖୁରୁରେ କାର୍ଯ୍ୟକାରୀ ହେଉଥିବା ସେ ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସକୁ କହିଛନ୍ତି । ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଆମେରିକାର ଟାରିଫ ଲାଗୁ ସମୟରେ ଚୀନ ଭାରତକୁ ବନ୍ଧୁ ବୋଲି କହୁଥିବା ବେଳେ ଏବେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ର ପାକିସ୍ତାନକୁ ସହାୟତା ଦେବାକୁ ବି ପଛାଉନି । ଏହାସହ ୨୦୨୮ ସୁଦ୍ଧା ଚୀନ ମୋଟ ୮ଟି ସବ୍ମେରାଇନ୍ ପାକିସ୍ତାନକୁ ଦେବାକୁ ସ୍ଥିର କରିଛି ।
ପ୍ରାୟ ୫ ବିଲିୟନ ଡଲାରର ଏହି ପ୍ରତିରକ୍ଷା ଚୁକ୍ତି ଅଧୀନରେ ପ୍ରଥମ ୪ଟି ସବ୍ମେରାଇନ୍ ଚୀନ୍ରେ ନିର୍ମାଣ କରାଯାଉଛି । ବାକି ୪ଟି ପାକିସ୍ତାନରେ ଯୋଡ଼ାଯିବ । ପାକିସ୍ତାନର ବୈଷୟିକ କ୍ଷମତା ଏବଂ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନକୁ ବୃଦ୍ଧି କରାଇବାକୁ ଚୀନ ଲକ୍ଷ୍ୟ ରଖିଥିବା କଥା ଆଲୋଚନା ହେଲାଣି । ପାକ୍ ଆଡମିରାଲ ଅଶରଫ କହିଛନ୍ତି, “ଚୀନ୍ର ପ୍ରତିରକ୍ଷା ଉପକରଣ ପାକିସ୍ତାନ ନୌସେନାର ଆବଶ୍ୟକତା ପୂରଣ କରୁଛି । ଉନ୍ନତ ଟେକ୍ନୋଲୋଜି ସହିତ ବିକଶିତ ଯୁଦ୍ଧାସ୍ତ୍ର ଦେଇ ଭରସାଯୋଗ୍ୟ ପାଲଟିଛି । ଯୁଦ୍ଧ କ୍ଷେତ୍ରରେ AI, ଡ୍ରୋନ୍ ଏବଂ ଇଲେକ୍ଟ୍ରୋନିକ୍ ୱାର୍ଫେୟାର ସିଷ୍ଟମର ଗୁରୁତ୍ୱ ବଢୁଛି ଏବଂ ପାକିସ୍ତାନ ନୌସେନା ଏହି ବୈଷୟିକ ଜ୍ଞାନକୌଶଳରେ ଚୀନ୍ ସହିତ ସହଯୋଗ ଦିଗରେ କାର୍ଯ୍ୟ କରୁଛି ।”