ନୂଆଦିଲ୍ଲୀ: ନବମ ଏସିଆ କପ ଟାଇଟଲ ଜିତିଲା ଭାରତ । ଏସିଆ ଦଖଲ କରିଛି ଭାରତୀୟ କ୍ରିକେଟ୍ ଦଳ। ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଭାରତ ନବମ ଥର ପାଇଁ ଏସିଆ କପ୍ ମୁକୁଟ ଜିତିଛି। ଦଶହରା ଓ ଦୀପାବଳି ପୂର୍ବରୁ ଭାରତୀୟ କ୍ରିକେଟ୍ପ୍ରେମୀଙ୍କୁ ପାର୍ବଣର ମଧୁର ଉପହାର ଦେଇଛି ! ଦୁବାଇରେ ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲକୁ ୫ ୱିକେଟରେ ଜିତିଲା ଭାରତ । ପାକିସ୍ତାନ ୧୪୭ ରନ କରିଥିବା ବେଳେ ଭାରତ ଶେଷ ଓଭରରେ ବିଜୟୀ ହୋଇଛି । ତିଲକ ବର୍ମା ଲଢୁଆ ଅର୍ଦ୍ଧଶତକ ସହ ୫୩ ବଲରୁ ସ୍କୋର କଲେ ୬୯* ରନ । ସଞ୍ଜୁ ସାମସନ ୨୪ ଓ ଶିବମ ଦୁବେଙ୍କ ୩୩ ରନର ଅବଦାନ । ଶେଷ ଓଭରରେ ଚୌକା ମାରି ମ୍ୟାଚ ଫିନିଶ କଲେ ରିଙ୍କୁ ସିଂ । ପୂର୍ବରୁ ଭାରତ ଦିନିକିଆରେ ୭ ଓ ଟି୨୦ ଫର୍ମାଟରେ ଥରେ ଟାଇଟଲ ଜିତିଛି ।
ଏସିଆ କପ ଫାଇନାଲରେ ଭାରତ ସମ୍ମୁଖରେ ୧୪୭ ରନର ଟାର୍ଗେଟ୍ ରଖିଥିଲା ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୪୬ ରନରେ ଅଲଆଉଟ ହୋଇଥିଲା । ଶାହିବଜାଦା ଫରଜାନ ୫୭, ଫଖର ଜମାନଙ୍କ ୪୬ ରନର କରିଥିଲେ ମଧ୍ୟ ଦୁଇ ଅଙ୍କ ଛୁଇଁ ପାରିନଥିଲେ ୮ ପାକିସ୍ତାନୀ ବ୍ୟାଟର । ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ ୱିକେଟ ନେଇଥିଲେ । ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଓ ଯଶପ୍ରୀତ ବୁମରାଙ୍କୁ ୨ଟି ଲେଖାଏ ୱିକେଟ ନେଇଥିଲେ । ପ୍ରଥମ ୱିକେଟରେ ୮୪ ରନ ଯୋଡିଥିଲେ ଦୁଇ ପାକିସ୍ତାନୀ ଓପନର । ମାତ୍ର ୬୨ ରନରେ ଅନ୍ତିମ ୧୦ ୱିକେଟ ହରାଇଥିଲା ପାକିସ୍ତାନ ।
ତେବେ ଏସିଆ କପ ଟାଇଟଲ ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କ୍ରିକେଟ ପଡିଆରେ ଅପରେସନ ସିନ୍ଦୂର ବୋଲି କହିଛନ୍ତି ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, ଯୁଦ୍ଧର ମଇଦାନ ହେଉ କି କ୍ରିକେଟ ପଡିଆ, ଫଳାଫଳ ସର୍ବଦା ଭାରତ ସପକ୍ଷରେ । ଅପରେସନ ସିନ୍ଦୂର ସହ କ୍ରିକେଟ ବିଜୟକୁ ତୁଳନା କଲେ ମୋଦି । ସଂଘର୍ଷପୂର୍ଣ୍ଣ ଫାଇନାଲକୁ ୫ ୱିକେଟରେ ଜିତିଛି ଭାରତ । ପାକିସ୍ତାନ ୧୪୭ ରନ କରିଥିବା ବେଳେ ଭାରତ ଶେଷ ଓଭରେ ବିଜୟ ହାସଲ କରିଛି ।
ସେପଟେ ଭାରତର ବିଜୟ ପରେ BCCI ପୁରସ୍କାର ଘୋଷଣା କରିଛି । ଟିମ୍ ଇଣ୍ଡିଆକୁ ୨୧ କୋଟି ଟଙ୍କା ପୁରସ୍କାର ଦେଇଛି BCCI । ମାତ୍ର ମହାନତା ଦେଖାଇଛନ୍ତି ଭାରତୀୟ ଦଳ । ଦଳର କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ମହାନତା ଦେଖାଇ ଏସିଆ କପ୍ର ମ୍ୟାଚ୍ ଫି’ ଭାରତୀୟ ସେନାକୁ ସମର୍ପିତ କରିଛନ୍ତି । ପହଲଗାମ୍ ଆତଙ୍କବାଦୀ ହମ୍ଲାରେ ନିହତଙ୍କ ପରିବାରକୁ ଦାନ କରିଛନ୍ତି ଦଳର କ୍ୟାପଟେନ୍ । ଏଥିସହ ଏସିଆ କପ୍ ୨୦୨୫ ଟ୍ରଫି ଗ୍ରହଣ କରିନି ଭାରତୀୟ କ୍ରିକେଟ୍ ଟିମ୍ । ପୁରସ୍କାର ବିତରଣ ଉତ୍ସବରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ମୋହସିନ ନକଭିଙ୍କ ହାତରୁ ଟ୍ରଫି ନେବାକୁ ଟିମ୍ ଇଣ୍ଡିଆ ଅସ୍ୱୀକାର କରିଛି । ଏସୀୟ କ୍ରିକେଟ୍ ପରିଷଦ (ଏସିସି)ର ସଭାପତି ହେଉଛନ୍ତି ମୋହସିନ ନକଭି । ସେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସଭାପତି ମଧ୍ୟ ଅଛନ୍ତି । ଏଥିସହ ଏବେ ପାକିସ୍ତାନର ଗୃହମନ୍ତ୍ରୀ ହେଉଛନ୍ତି ମୋହସିନ ନକଭି । ଅପରେସନ ସିନ୍ଦୂର ସମୟରେ ଭାରତକୁ ପରମାଣୁ ଧମକ ଦେଇଥିଲେ ନକଭି । ବିଭିନ୍ନ ସମୟରେ ଭାରତ ବିରୋଧୀ ବୟାନ ଦେଇଥାନ୍ତି ମୋହସିନ ନକଭି ।