ନିମାପଡ଼ା ଓ ଗୋପ ଦେଇ ଭୁବନେଶ୍ୱରରୁ କୋଣାର୍କ ଯିବ ନୂତନ ରେଳଲାଇନ୍‌

ଭୂବନେଶ୍ଵର: ନିମାପଡ଼ା ଓ ଗୋପ ଦେଇ ଭୁବନେଶ୍ୱରରୁ କୋଣାର୍କ ଯିବ ନୂତନ ରେଳଲାଇନ୍‌ । ଫାଇନାଲ୍‌ ଲୋକେସନ୍‌ ସର୍ଭେ ପାଇଁ ଅନୁମୋଦନ ମିଳିଛି କହିଲେ ଉପମୁଖ୍ୟମନ୍ତ୍ରୀ । ମୋ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିମାପଡ଼ା ଓ ଗୋପବାସୀଙ୍କ ପାଇଁ ଆଶୀର୍ବାଦ । ନୂଆ ରେଳଲାଇନ୍‌ ସ୍ଥାନୀୟ ଅର୍ଥନୀତି, କୃଷି ଆଦି କ୍ଷେତ୍ର ପାଇଁ ସହାୟକ ହେବ । ସ୍ଥାନୀୟ ଗମନାଗମନ ଓ ପର୍ଯ୍ୟଟନ ପାଇଁ ଏହି ପ୍ରକଳ୍ପ ବେଶ୍‌ ଲାଭଜନକ ହେବ । ଦୂରଦୃଷ୍ଟିସମ୍ପନ୍ନ ପ୍ରକଳ୍ପ ପାଇଁ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଏହି ଉପଲବ୍ଧି ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଚିଠି ମାଧ୍ୟମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବକୁ ଧନ୍ୟବାଦ ଜ୍ଞାପନ କରିବା ସହିତ ଏହି ରେଳ ପଥକୁ ନିମାପଡା ଓ ଗୋପ ଦ୍ଵାରା ସଂଯୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ । ଏହା ଦ୍ୱାରା ନିମାପଡା ଓ ଗୋପ ଅଞ୍ଚଳରେ ପର୍ଯ୍ୟଟନସ୍ଥଳୀର ବିକାଶ ହେବା ସହ ଆଞ୍ଚଳିକ ପରିବହନ ଓ ଯୋଗାଯୋଗ ମଧ୍ୟ ସୁଗମ ହୋଇପାରିବ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଚିଠିରେ ଉଲ୍ଲେଖ କରିଥିଲେ । ଏହି ଚିଠିର ଉତ୍ତର ଦେଇ ରେଳ ମନ୍ତ୍ରାଳୟ ଏହି ପ୍ରସ୍ତାବକୁ ଗ୍ରହଣ କରିବା ସହ କୋଣାର୍କ ଭୁବନେଶ୍ୱର ରେଳପଥର ଡିଟେଲଡ଼ ପ୍ରୋଜେକ୍ଟ ରିପୋର୍ଟ ପାଇଁ ଗୋପ ଓ ନିମାପଡାରେ ଫାଇନାଲ ଲୋକେଶନ ସର୍ଭେ ପାଇଁ ମଞ୍ଜୁରୀ ଦେଇଛନ୍ତି ।