ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଇସାକ ଡାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅସ୍ତ୍ରବିରତି ଦାବିର ପର୍ଦ୍ଦାଫାସ କରିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଭାରତ ଆମେରିକାର ମଧ୍ୟସ୍ଥତା ପ୍ରସ୍ତାବକୁ ଗ୍ରହଣ କରିନାହିଁ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ନିଜେ ଇସାକ ଡାରଙ୍କୁ ଏ ବିଷୟରେ ଅବଗତ କରାଇଛନ୍ତି। ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅତି କମରେ ୩୦ ଥର ଅସ୍ତ୍ରବିରତି ମଧ୍ୟସ୍ଥତା କରିବାକୁ ଦାବି କରିଛନ୍ତି। ତଥାପି, ଭାରତ ପ୍ରତ୍ୟେକ ଥର ଟ୍ରମ୍ପଙ୍କ ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି କହିଛି ଯେ ଏହା କେବଳ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ହୋଇଛି ଏବଂ ଏଥିରେ କୌଣସି ତୃତୀୟ ଦେଶର କୌଣସି ଭୂମିକା ନାହିଁ।

ତେବେ ଏକ ଗଣମାଧ୍ୟମର ସାକ୍ଷାତକାର ସମୟରେ ଇଶାକ ଡାରଙ୍କୁ ପଚରାଯାଇଥିଲା ଯେ ଭାରତ ସହିତ କୌଣସି ଆଲୋଚନା ଚାଲିଛି କି? ଏଥିରେ କୌଣସି ତୃତୀୟ ପକ୍ଷ ସାମିଲ ଅଛି କି? ଆପଣ କ’ଣ ତୃତୀୟ ପକ୍ଷ ଅଂଶଗ୍ରହଣ ପାଇଁ ପ୍ରସ୍ତୁତ? ଏଥିରେ ଇଶାକ ଡାର କହିଥିଲେ, “ଆମର କୌଣସି ଆପତ୍ତି ନାହିଁ, କିନ୍ତୁ ଭାରତ ସ୍ପଷ୍ଟ ଭାବରେ କହୁଛି ଯେ ଏହା ଦ୍ୱିପାକ୍ଷିକ, ତେଣୁ ଆମର ଦ୍ୱିପାକ୍ଷିକ ଆଲୋଚନାରେ କୌଣସି ଆପତ୍ତି ନାହିଁ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୦ ମଇ ଠାରୁ ଭାରତ-ପାକିସ୍ତାନ ଯୁଦ୍ଧବିରତି ପାଇଁ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି। ଟ୍ରମ୍ପ ଅନେକ ଥର ଦାବି କରିଛନ୍ତି ଯେ ସେ ଭାରତ-ପାକିସ୍ତାନ ବିବାଦକୁ ବନ୍ଦ କରିଛନ୍ତି। ସେ ଏପରି ମଧ୍ୟ ଦାବି କରିଛନ୍ତି ଯେ ଭାରତ-ପାକିସ୍ତାନ ବିବାଦ ଏକ ପରମାଣୁ ଯୁଦ୍ଧ ଆଡକୁ ଗତି କରୁଛି। ଏପରି କରିବା ପାଇଁ ସେ ନୋବେଲ ଶାନ୍ତି ପୁରସ୍କାର ମଧ୍ୟ ଦାବି କରିଥିଲେ।
