ବିଜେଡିକୁ ଶକ୍ତ ଝଟକା, ଦଳ ଛାଡ଼ିଲେ ପୂର୍ବତନ ସାଂସଦ ଭାସ୍କର ରାଓ

ଭୁବନେଶ୍ଵର: ପୁଣି ବିଜେଡିକୁ ଶକ୍ତ ଝଟକା । ଅସନ୍ତୋଷ ଝାଡି ଦଳ ଛାଡିଲେ ବରିଷ୍ଠ ନେତା ତଥା ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମରିକା । ଉଭୟଙ୍କ ସହ ଦଳର ବହୁ ନେତା ଓ କର୍ମୀ ମଧ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି । ପୂର୍ବତନ ସାଂସଦ ଭାସ୍କର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ପ୍ରତି ଥିବା ତାଙ୍କ ଅସନ୍ତୋଷ ବଖାଣିଥିବା ବେଳେ ଦଳର ପ୍ରାଥମିକ ସଦସ୍ୟତା ପଦରୁ ସେ ଇସ୍ତଫା ଦେଇଛନ୍ତି । ତେବେ ଜିଲ୍ଲା ସଭାପତି ଚୟନକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ ଏଥିସହିତ ‘ବିଜୁ ସ୍ୱାଭିମାନ ମଞ୍ଚ’ ନାମକ ଏକ ନୂତନ ରାଜନୈତିକ ମଞ୍ଚ ଗଠନର ଘୋଷଣା କରିଛନ୍ତି ଭାସ୍କର । ଏହି ଦଳରେ ପୂର୍ବତନ ଆଦିବାସୀ ମନ୍ତ୍ରୀ ତଥା ଉପବାଚସ୍ପତି ଲାଲବିହାରୀ ହିମିରିକା ଓ ବରିଷ୍ଠ ସଂଗଠକ ଗଙ୍ଗାଧର ପୁଆଲା ଯୋଗ ଦେବେ।

ସୂଚନା ଅନୁସାରେ ବିଜେଡିର କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଥିଲେ ଭାସ୍କର ରାଓ । ସାମ୍ବାଦିକ ସମ୍ମିଳନୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜିଲା ସଭାପତି ଚୟନ ନେଇ ଅସନ୍ତୁଷ୍ଟ ଥିଲେ ଏନ୍‍.ଭାସ୍କର ରାଓ । ବିଜେଡିର ସଭାପତି ଚୟନ ସମସ୍ତଙ୍କ ମନରେ ଆଘାତ ଦେଇଛି, ପରାଜିତ ବ୍ୟକ୍ତିଙ୍କୁ ସଭାପତି ପଦ ଦିଆଯାଇଛି । ହେଲେ ଦକ୍ଷ ନେତାଙ୍କୁ ପଚରାଯାଉନି । ଆମେ ନବୀନ ବିରୋଧୀ ନୁହେଁ, କିନ୍ତୁ ବିଜୁ ପ୍ରେମୀ । କର୍ମୀ ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ । ରାଜନୀତି ପଛ, ଜିଲ୍ଲା ଲୋକଙ୍କ କଥା ଆଗ ବୋଲି କହିଛନ୍ତି ବିଜେଡି ନେତା ଏନ ଭାସ୍କର ରାଓ । ଏଥିସହିତ ନୂତନ ରାଜନୈତିକ ମଞ୍ଚ ଗଠନ ନେଇ କହିଛନ୍ତି, ନିଜର  ନୂତନ ମଞ୍ଚ ବିଜୁ ବାବୁଙ୍କ ମୂଳ ମୂଲ୍ୟବୋଧ ଏବଂ ଦୃଷ୍ଟିକୋଣକୁ ପୁନରୁଦ୍ଧାର କରିବା ଲକ୍ଷ୍ୟ ରଖିଛି, ଯାହାକୁ ସେ ବର୍ତ୍ତମାନର ରାଜନୈତିକ ଦୃଶ୍ୟପଟରେ କ୍ଷୀଣ କରିଦିଆଯାଇଛି ବୋଲି ଦାବି କରୁଛନ୍ତି । ଏହା କେବଳ ଏକ ରାଜନୈତିକ ସଂଗଠନ ନୁହେଁ, ବରଂ ଓଡ଼ିଶାର ଗର୍ବ ଏବଂ ଅଖଣ୍ଡତାକୁ ପୁନର୍ବାର ହାସଲ କରିବା ପାଇଁ ଏକ ଆନ୍ଦୋଳନ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭାସ୍କର ।