ନୂଆଦିଲ୍ଲୀ: ରାତି ପାହିଲେ ସାରା ଦେଶ ପାଳିବ ୭୯ ତମ ସ୍ବାଧିନତା ଦିବସ । ଏହାର ପୂର୍ବ ସଂଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି କହିଛନ୍ତି ଦେଶ ବିଦେଶରେ ଆମେ ସ୍ୱତନ୍ତ୍ରତା ଦିବସ ପାଳନ କରିବାକୁ ଯାଉଛୁ । ବଳିଦାନ ଦେଇଥିବା ମହାପୁରୁଷଙ୍କ ପାଇଁ ପ୍ରଣାମ କରିବା । ସ୍ବାଧୀନତା ପାଇବା ପରଠାରୁ ଆମେ ଲୋକତନ୍ତ୍ରକୁ ଆପଣାଇଛୁ । ଲୋକତନ୍ତ୍ରକୁ ଆଧାର କରି ଆମ ସାମ୍ବିଧାନିକ ବ୍ୟବସ୍ଥା କାର୍ଯ୍ୟ କରୁଛି । ମୁଖ୍ୟତଃ ୪ଟି ସ୍ତମ୍ବକୁ ନେଇ ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ପରିପୂର୍ଣ୍ଣ । ପ୍ରଥମତଃ ନ୍ୟାୟ, ଦ୍ଵିତୀୟରେ ସ୍ବାଧୀନତା, ତୃତୀୟରେ ସମାନତା ଏବଂ ଚତୁର୍ଥରେ ଭ୍ରାତୃତ୍ବ । ବାସ୍ତବରେ ଭାରତ ବର୍ଷ ହେଉଛି ଲୋକତନ୍ତ୍ରର ଜନନୀ । ଆମ ପାଇଁ ସମ୍ବିଧାନ ଓ ଗଣତନ୍ତ୍ର ସବୁଠୁ ଊର୍ଦ୍ଧ୍ବରେ । ଆଜିର ଦିନରେ ଦେଶ ବିଭାଜନ ଦୁଃଖକୁ ଭୁଲି ପାରି ନାହୁଁ । ଏବେ ଦେଶ ଦ୍ରୁତ ବିକାଶ ପଥରେ ଅଗ୍ରସର ହେଉଛି । ଦେଶରେ ସହରାଞ୍ଚଳ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସରକାର ମେଟ୍ରୋ ରେଲ୍ ଯୋଜନାକୁ ବଢ଼ାଇ ଚାଲିଛନ୍ତି। ବିଗତ ଏକ ଦଶନ୍ଧିରେ ମେଟ୍ରୋ ରେଲ୍ ବହୁଗୁଣିତ ହୋଇଛି । ଅଧିକରୁ ଅଧିକ ଘରକୁ ପାଇପ ଜଳ ଯୋଗାଣ ସମ୍ଭବ ହୋଇଛି । ୨୦୪୭ ସୁଦ୍ଧା ଭାରତ ବିଶ୍ବର AI ହବ୍ ହେବାକୁ ଯାଉଛି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହା ସହିତ ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ।