ବ୍ୟୁରୋ:- ସମାଜରେ ବଢ଼ି ଚାଲିଛି ଠକଙ୍କ ସଂଖ୍ୟା ଯାହାଙ୍କ କାରନାମା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବା। ଉତ୍ତରପ୍ରଦେଶର ଗାଜିଆବାଦ ସହରରୁ ସେମିତି ଏକ ବଡ଼ ଠକର କାହାଣୀ ଆସିଛି ସାମ୍ନାକୁ। ଯିଏକି ଗାଜିଆବାଦରେ ଗୋଟିଏ ନୁହେଁ ବରଂ ଚାରି ଚାରିଟି ଦୂତାବାସ ଖୋଲିଥିଲେ। ଆଖି ଝଲସିଲା ଭଳି ବିଲ୍ଡିଂ, ତା’ ଆଗରେ ପାର୍କିଂ ହୋଇଛି ଦାମିକିଆ ବିଦେଶୀ ଗାଡି। ଅନେକ ଦିନ ଧରି ଲୋକେ ତାକୁ ଦୂତାବାସ ବୋଲି ଭାବୁଥିଲେ। ସେ ଠକ ନିଜକୁ ୪ଟି ଦେଶର ରାଷ୍ଟ୍ରଦୂତ କହୁଥିଲେ। ସେହି ନାଁରେ ଲୋକଙ୍କୁ ଠକୁ ଥିଲେ ଏବଂ ଲୁଟୁ ଥିଲେ। ତେବେ ସେ ଠକ ହେଉଛନ୍ତି ହର୍ଷବର୍ଦ୍ଧନ ଜୈନ ନାମକ ଜଣେ ବ୍ୟବସାୟୀ। ବେକାରୀଙ୍କୁ ବିଦେଶ ପଠାଇବା ନାମରେ ଲୁଟ୍ କରିବା ତା’ର ମୁଖ୍ୟ କାମ ଥିଲା। ସେ ଲୋକଙ୍କୁ ବିଭିନ୍ନ ନେତାଙ୍କ ସହ ଏପରି ନକଲି ଫଟୋ ଦେଖାଉଥିଲା ଯେ, ସମସ୍ତେ ତାକୁ ବିଶ୍ୱାସ କରୁଥିଲେ। ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ ଏହି ନକଲି ଦୂତାବାସର ପର୍ଦ୍ଦାଫାଶ କରି ହର୍ଷବର୍ଦ୍ଧନ ଜୈନଙ୍କୁ ଗିରଫ କରିଛି।

ନକଲି ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନଙ୍କଠାରୁ ପୋଲିସ ଡିପ୍ଲୋମାଟିକ ନମ୍ବର ପ୍ଲେଟ୍ ଥିବା ୪ଟି ଗାଡ଼ି, ମାଇକ୍ରୋନେସନ ଦେଶଙ୍କର ୧୨ଟି ଡିପ୍ଲୋମାଟିକ ପାସପୋର୍ଟ, ବିଦେଶ ମନ୍ତ୍ରାଳୟର ମୋହର ଥିବା ନକଲି ଦସ୍ତାବେଜ, ଦୁଇଟି ଫର୍ଜି ପ୍ୟାନକାର୍ଡ, ବିଭିନ୍ନ ଦେଶ ଓ କମ୍ପାନୀଙ୍କ ୩୪ଟି ମୋହର, ୨ଟି ଫର୍ଜି ପ୍ରେସ କାର୍ଡ ଜବତ କରିଛି। ସେହିପରି ୪୪ ଲକ୍ଷ ୭୦ ହଜାର ଟଙ୍କା ନଗଦ ସହ ବିଭିନ୍ନ ଦେଶର ବିଦେଶୀ ମୁଦ୍ରା ମଧ୍ୟ ମିଳିଛି। ବିଭିନ୍ନ କମ୍ପାନୀର ଦସ୍ତାବେଜ ସହ ୧୮ଟି ଡିପ୍ଲୋମାଟିକ ନମ୍ବର ପ୍ଲେଟ୍ ମଧ୍ୟ ଜବତ କରାଯାଇଛି। ପୋଲିସ ଆସନ୍ତାକାଲି ଜୈନଙ୍କୁ କୋର୍ଟଚାଲାଣ କରିବ। ଜୈନ ପାଖାପାଖି ୩୦୦ କୋଟି ଟଙ୍କାର ଦୁର୍ନୀତିରେ ସମ୍ପୃକ୍ତ ବୋଲି ପୋଲିସ କହିଛି।
