କେନ୍ଦୁଝର: ଗିରଫ ହେଲେ କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍ ଡିଏଫ୍ଓ ନିତ୍ୟାନନ୍ଦ ନାୟକ । ନିତ୍ୟାନନ୍ଦଙ୍କୁ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନ୍ ଡିଏଫଓ ନିତ୍ୟାନନ୍ଦ ନାୟକ । ଅନୁଗୁଳ, କେନ୍ଦୁଝର, ନୟାଗଡ଼ର ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ୩ ଦିନ ହେବ ନିତ୍ୟାନନ୍ଦଙ୍କ ଘରେ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ ଟିମ୍ । ଚଢାଉ ବେଳେ ୮ ଲକ୍ଷ ୫୦ ହଜାର ଟଙ୍କା ସହ ସରକାରୀ କ୍ବାର୍ଟର୍ସରୁ ଗୋଟିଏ ବନ୍ଧୁକ, ୧୧୫ ପ୍ଲଟ ସହ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।
ସୂଚନା ଅନୁସାରେ, ସଂପୃକ୍ତ ଅଧିକାରୀ ୧୯୯୨ ମସିହାରେ ବନ ବିଭାଗର ରେଞ୍ଜ ଅଫିସର ଭାବରେ ଚାକିରିରେ ଯୋଗ ଦେବା ପରଠାରୁ ୨୦୨୪ ମସିହା ମଧ୍ୟରେ ବିପୁଳ ପରିମାଣର ଜମି କିଣିଛନ୍ତି। ନିଜ ପରିବାର ନାମରେ ତାଙ୍କର ୧୧୫ଟି ପ୍ଲଟ୍ ରହିଛି। ଏଥିମଧ୍ୟରୁ ୫୩ଟି ପ୍ଲଟ୍ ନିଜ ନାମରେ, ୪୨ଟି ସ୍ତ୍ରୀଙ୍କ ନାମରେ, ୧୬ଟି ପ୍ଲଟ୍ ନିଜ ଦୁଇ ପୁଅଙ୍କ ନାମରେ, ୪ଟି ପ୍ଲଟ୍ ଝିଅ ନାମରେ କିଣିଛନ୍ତି। ଏହା ସହିତ ଚଢ଼ଉ ବେଳେ ତାଙ୍କ ନିକଟରୁ ନଗଦ ୯ ଲକ୍ଷ ୬୯ ହଜାର ଟଙ୍କା, ଦୁଇଟି ଚାରିଚକିଆ ଓ ୪ଟି ଦୁଇ ଚକିଆ ଗାଡ଼ି ଜବତ କରାଯାଇଛି। ତାଙ୍କ ଓ ପରିବାର ନାମରେ ରହିଥିବା ବ୍ୟାଙ୍କ ଜମା ଓ ଅନ୍ୟାନ୍ୟ ବିନିଯୋଗ ସମ୍ପର୍କରେ ଖୋଳତାଡ଼ ଚାଲୁ ରହିଛି।