ଭୁବନେଶ୍ଵର: ରାଜ୍ୟ ବିଜେପିର ସଭାପତି ଚୟନ ପାଇଁ ଘୋଷଣା ହେଲା ତାରିଖ । ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ । ଆସନ୍ତା ୬ରେ ପ୍ରକାଶ ପାଇବ ବିଜ୍ଞପ୍ତି, ୭ରେ ନାମାଙ୍କନ । ୮ରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ ଭୋଟ୍ । ଏନେଇ ସୂଚନା ଦେଇଛନ୍ତି ସହ ନିର୍ବାଚନ ଅଧିକାରୀ ଯତିନ୍ ମହାନ୍ତି ।

ସୂଚନା ଅନୁସାରେ, ଦୀର୍ଘଦିନ ହେବ ରାଜ୍ୟ ବିଜେପି ସଭାପତି ଚୟନକୁ ନେଇ ଲାଗି ରହିଥିବା ଆଶଂକାର ପୂର୍ଣ୍ଣଛେଦ ପଡିଚି । ଜୁଲାଇ ମାସ ୮ ତାରିଖରେ ରାଜ୍ୟ ବିଜେପି ପାଇଁ ସଭାପତି ଚୟନ ହେବ । ମନମୋହନ ପୁଣି ରିପିଟ ହେବେ ନାଁ ନୂଆ ଚେହେରାଙ୍କୁ ଦାୟିତ୍ବ ମିଳିବ ସେ ନେଇ ଚର୍ଚ୍ଚା ଜୋର୍ ଧରିଛି । ବିଜେପିର ସାଂଗଠନିକ ନିର୍ବାଚନ ପାଇଁ ୨୦୨୪ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ଏହାର ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟ ସଭାପତି ଗତମାସ ୨୯ରେ ଆରମ୍ଭ ହୋଇ ଜୁଲାଇ ୧ ତାରିଖରେ ଶେଷ ହେବାର ଥିଲା। ହେଲେ କିଛି କାରଣ ପାଇଁ ଏହା ହୋଇ ପାରିନଥିଲା।

ପ୍ରତି ୩ବର୍ଷରେ ଥରେ ବିଜେପିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୁଏ । ୨୦୨୩ ମାର୍ଚ୍ଚ ୨୪ରୁ ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ବ ତୁଲାଉଛନ୍ତି ମନମୋହନ ସାମଲ । ପୂର୍ବରୁ ମଧ୍ୟ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ବିଜେପିର ରାଜ୍ୟ ସଭାପତି ଭାବେ ଦାୟିତ୍ବ ତୁଲାଇଛନ୍ତି । ଏବେ କିଏ ହେବ ପରବର୍ତ୍ତୀ ରାଜ୍ୟ ବିଜେପି ମୁଖିଆ ନା ରିପିଟ ହେବେ ମନମୋହନ ତା ଉପରେ ରହିଛି ସମସ୍ତଙ୍କ ନଜର ।