ଭୁବନେଶ୍ୱର: ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ (ନ୍ୟୁରୋସର୍ଜନ) ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କର ସୋମବାର ସନ୍ଧ୍ୟାରେ ନୂଆଦିଲ୍ଲୀ ସ୍ଥିତ ଏମ୍ସ (AIIMS) ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ସେ ୨୦୧୭ ମସିହାରେ ଯୋଡ଼ା ଶିଶୁ ଜଗା ଓ ବାଲିଆଙ୍କୁ ସଫଳତାର ସହ ଅଲଗା କରିଥିବା ଐତିହାସିକ ଚିକିତ୍ସା ଦଳର ନେତୃତ୍ୱ ନେଇଥିଲେ।
ଜଣେ ବିଶିଷ୍ଟ ଚିକିତ୍ସକ ଭାବେ ଖ୍ୟାତି ଅର୍ଜନ କରିଥିବା ପ୍ରଫେସର ମହାପାତ୍ର ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ କିଛି ଦିନ ହେବ ଅସୁସ୍ଥ ଥିଲେ। ପ୍ରଥମେ ମୁଣ୍ଡବିନ୍ଧା ଅଭିଯୋଗ ନେଇ ସେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ, ଉନ୍ନତ ଚିକିତ୍ସା ପାଇଁ ଅକ୍ଟୋବର ୨ ତାରିଖରେ ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା।

ତାଙ୍କ ବିୟୋଗରେ ଓଡ଼ିଶାର ଚିକିତ୍ସା ଜଗତ ଓ ରାଜନୈତିକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁକୁ ଚିକିତ୍ସା କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ପ୍ରଫେସର ମହାପାତ୍ର ଚିକିତ୍ସା ବିଜ୍ଞାନ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିବା ସହ ଓଡ଼ିଶା ତଥା ଦେଶ ପାଇଁ ଗୌରବ ଆଣି ଦେଇଥିଲେ।

ପୁରୀ ଜିଲ୍ଲାର ବୀରନରସିଂହପୁର ଗ୍ରାମରେ ସ୍କୁଲ ଶିକ୍ଷା ଏବଂ ପୁରୀର SCS କଲେଜରୁ ବିଜ୍ଞାନରେ ମଧ୍ୟମାତ୍ରା ସମାପ୍ତ କରିବା ପରେ, ସେ ବ୍ରହ୍ମପୁରର MKCG ମେଡିକାଲ କଲେଜ ଏବଂ ହସ୍ପିଟାଲରେ MBBS ଅଧ୍ୟୟନ କରିଥିଲେ। ସେ ନୂଆଦିଲ୍ଲୀର AIIMSରୁ PG କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେଠାରେ 36 ବର୍ଷ ଧରି ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିଲେ। ସେ ନୂଆଦିଲ୍ଲୀର AIIMSରେ ନ୍ୟୁରୋସର୍ଜରୀ ବିଭାଗର ମଧ୍ୟ ନେତୃତ୍ୱ ନେଇଥିଲେ।ମହାପାତ୍ର ୨୦୦୬ ରୁ ୨୦୦୯ ପର୍ଯ୍ୟନ୍ତ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ର ନିର୍ଦ୍ଦେଶକ ଏବଂ ୨୦୧୨ ରୁ ୨୦୧୬ ପର୍ଯ୍ୟନ୍ତ ଏମ୍ସ (AIIMS) ଭୁବନେଶ୍ୱରର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ; ଏହା ପରେ ସେ ନିଜର ପୁରୁଣା ଶିକ୍ଷାନୁଷ୍ଠାନ, ଏମ୍ସ (AIIMS) ନୂଆଦିଲ୍ଲୀକୁ ଫେରିଯାଇଥିଲେ।