ଭୁବନେଶ୍ବର : ଅଭିନେତା ତଥା ନିର୍ଦେଶକ ନାରାୟଣ ପତିଙ୍କ ମସ୍ତିଷ୍କାଘାତ କାରଣରୁ ପରଲୋକ ଘଟିଛି । ଦିଲ୍ଲୀ ଜାତୀୟ ନାଟ୍ୟ ବିଦ୍ୟାଳୟରୁ ପାସ କରି ଓଡ଼ିଆ ସିନେମା ବାଟ ଅବାଟ, ସମୀର ସଲିମ ସାଇମନ ଏବଂ ଲକ୍ଷେ ଶିବ ପୂଜି ପାଇଛି ପୁଅରେ ଅଭିନୟ କରି ଅନେକ ପ୍ରଶଂସା ସାଉଁଟିଥିଲେ । ଏହା ସହିତ ହିନ୍ଦୀ ସିନେମା ଦୟାବାନରେ ଅଭିନୟ କରି ଅନେକ ଚର୍ଚ୍ଚାରେ ଥିଲେ ନାରାୟଣ । ଓଡ଼ିଆ ସିନେମା ‘ବୋଉର ହାତ ବାକ୍ସ’ରେ ନିର୍ଦେଶନା ଦେଇଥିଲେ ନାରାୟଣ ପତି । ସଫଳ ଅଭିନେତା ସହିତ ସେ ଅନେକ ନାଟକର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ ।
ନାରାୟଣ ପତି ବ୍ୟାସକବି ଫକୀରମୋହନ ସେନାପତିଙ୍କ କାଳଜୟୀ ସାହିତ୍ୟକୃତି ‘ଡାକମୁନସୀ’ ଉପରେ ଏକ ଓଡ଼ିଆ ସିନେମା ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଥିଲେ। ସେ ନିର୍ଦ୍ଦେଶନା ଦାୟିତ୍ବ ବହନ କରିଥିଲେ। ବିକାଶ ଦାସ ଏହାର ସଙ୍ଗୀତକାର। ‘ଡାକମୁନସୀ’ ଶୀର୍ଷକରେ ନିର୍ମାଣାଧୀନ ଏହି ସିନେମାର କଳାକାର ଚୟନ ଚାଲିଥିବା ବେଳେ ନାରାୟଣ ପତିଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି।