ମାଲେସିଆରେ ଭାରତୀୟ ସାଂସଦଙ୍କ ପ୍ରତିନିଧିମଣ୍ଡଳର କାର୍ୟ୍ୟକ୍ରମ ବାତିଲ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ। କିନ୍ତୁ କୁଆଲାଲମ୍ପୁର ସରକାର ପାକିସ୍ତାନର କଥା ଶୁଣିନଥିଲେ । ଇସଲାମିକ୍ ଏକତାକୁ ଉଦ୍ଧୃତ କରି ଅର୍ଥାତ ଆମେ ଇସଲାମିକ ଆଉ ତୁମେ ମଧ୍ୟ ଇସଲାମିକ ଦର୍ଶାଇ ପାକିସ୍ତାନ ମାଲେସିଆ କର୍ତ୍ତୃପକ୍ଷଙ୍କୁ ଭାରତୀୟ ପ୍ରତିନିଧିମଣ୍ଡଳର କାର୍ୟ୍ୟକ୍ରମ ବନ୍ଦ କରିବାକୁ ଅନୁରୋଧ କରିଥିଲା। କିନ୍ତୁ ମାଲେସିଆ ପାକିସ୍ତାନର ହସ୍ତକ୍ଷେପକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିଲା।

ଭାରତରେ ସମ୍ପ୍ରତି ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ଭୂମିକାକୁ ଉଜାଗର କରିବା ଏବଂ ପହଲଗାମ ଆକ୍ରମଣ ପରେ ଭାରତର ପ୍ରତିଶୋଧ ‘ ଅପରେସନ ସିନ୍ଦୂର’କୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବା। ଯେଉଁଥିପାଇଁ ପ୍ରତିନିଧି ଦଳ ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର, ଇଣ୍ଡୋନେସିଆ ଏବଂ ମାଲେସିଆ ଗସ୍ତ କରିଥିଲେ। ଏହିକ୍ରମରେ ଦଳ ମାଲେସିଆ ଗସ୍ତ କରିଥିଲେ । କିନ୍ତୁ ସୂତ୍ର ଅନୁସାରେ ପାକିସ୍ତାନୀ ଦୂତାବାସ ମାଲେସିଆ କର୍ତ୍ତୃପକ୍ଷଙ୍କୁ ଭାରତୀୟ ପ୍ରତିନିଧିମଣ୍ଡଳର କାର୍ୟ୍ୟକ୍ରମ ବାତିଲ କରିବାକୁ ଅନୁରୋଧ କରିଥିଲା। କିନ୍ତୁ ଏହା କାମ କଲା ନାହିଁ ଏବଂ ପ୍ରତିନିଧିମଣ୍ଡଳକୁ ପୂର୍ଣ୍ଣ ସମର୍ଥନ ମିଳିଲା।

ଏହି ପ୍ରତିନିଧିମଣ୍ଡଳ ବିଶ୍ୱକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଥିଲା ଯେ ଭାରତର ସମସ୍ତ ରାଜନୈତିକ ଦଳ ଆତଙ୍କବାଦ ପ୍ରସଙ୍ଗରେ ଏକଜୁଟ ଏବଂ ବିଶ୍ୱ ମଞ୍ଚରେ ପାକିସ୍ତାନକୁ ପର୍ଦ୍ଦାଫାସ କରିବାର ଅଭିଯାନ ଏବେ କେବଳ ସରକାରଙ୍କ ନୁହେଁ ବରଂ ସମଗ୍ର ଦେଶର ଏକ ମିଳିତ ପ୍ରୟାସ। ପ୍ରତିନିଧିମଣ୍ଡଳର ସମସ୍ତ କାର୍ୟ୍ୟକ୍ରମ ଯୋଜନାବଦ୍ଧ ଯୋଜନା ଅନୁଯାୟୀ ହୋଇଥିଲା। ଏହାକୁ ପାକିସ୍ତାନ ପାଇଁ ଏକ ବଡ଼ କୂଟନୈତିକ ଆଘାତ ଭାବରେ ବିବେଚନା କରାଯାଉଛି।