ନୂଆଦିଲ୍ଲୀ-: ପୁନର୍ବାର ରାଷ୍ଟ୍ରପତି ହେବା ପରେ ଟ୍ରମ୍ପଙ୍କ ବଡ ଅସ୍ତ୍ର ସାଜିଛି ଟାରିଫ୍ । କଥା କଥାରେ ଟାରିଫ୍ ଭୟ ଦେଖାଉଛି ଆମେରିକା । ପୂର୍ବରୁ ଟାରିଫ୍ ଆପଲକୁ ଧମକ ଦେଇଥିବା ବେଳେ, ଏବେ ସମାନ ଧମକ ସାମସଙ୍ଗକୁ ମଧ୍ୟ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ ଆପଲ୍ର ପ୍ରତିଦ୍ୱନ୍ଦ୍ୱୀ ସାମସଙ୍ଗକୁ ମଧ୍ୟ ଟାର୍ଗେଟ କରି ଚେତାବନୀ ଦେଇଛନ୍ତି ଯେ ଯଦି ସାମସଙ୍ଗ ଫୋନ୍ ଆମେରିକାରେ ତିଆରି ନହୁଏ ତେବେ ଦକ୍ଷିଣ କୋରିଆ କମ୍ପାନୀକୁ ମଧ୍ୟ ୨୫ ପ୍ରତିଶତ ଆମଦାନୀ କର ଦେବାକୁ ପଡିବ । ହ୍ୱାଇଟ୍ ହାଉସ୍ରେ ସାମ୍ବାଦିକ ସମ୍ମିଳନୀରେ କିଛି ଏପରି ଚେତାବନୀ ଜାରି କରିଛନ୍ତି ଟ୍ରମ୍ପ ।
ସେ କହିଛନ୍ତି, ଆମେରିକାରେ ଡିଭାଇସ୍ ବିକ୍ରି କରୁଥିବା ଯେକୌଣସି ଫୋନ୍ ନିର୍ମାତାଙ୍କ ଉପରେ ଶୁଳ୍କ ଲାଗୁ ହେବ । ଆଉ ଜୁନ୍ ଶେଷ ସୁଦ୍ଧା ଏହା ଆୟୁରି ବୃଦ୍ଧି କରାଯିବ । ଶୁଳ୍କ ଛାଡ ସେତେବେଳେ ହେବ, ଯେତେବେଳେ ସେମାନେ ଆମେରିକାରେ ସେମାନଙ୍କର କାରଖାନା ନିର୍ମାଣ କରିବେ, ଆଉ ଏଇଠି ପ୍ରସ୍ତୁତ ସମଗ୍ରୀକୁ ବିକ୍ରୟ କରିବେ । ନଚେତ୍ ବାହାର ଦେଶରେ ପ୍ରସ୍ତୁତ ସାମଗ୍ରୀ ଉପରେ ଆମଦାନୀ କର ଲାଗୁ ହେବ ।
ଏଥିସହିତ ଆପଲ୍ କମ୍ପାନୀକୁ ପୂର୍ବରୁ ଦେଇଥିବା ସତର୍କତାକୁ ପୁଣି ଦୋହରାଇ କହିଛନ୍ତି, ମୁଁ ବହୁ ପୂର୍ବରୁ ଆପଲ୍ ସିଇଓ ଟିମ୍ କୁକ୍ଙ୍କୁ ଜଣାଇସାରିଛି, ମୁଁ ଆଶା କରୁଛି ଯେ ଆମେରିକାରେ ବିକ୍ରି ହେବାକୁ ଥିବା ଆଇଫୋନ୍ଗୁଡ଼ିକ ଆମେରିକାରେ ହିଁ ନିର୍ମିତ ହେବ । ଭାରତ କିମ୍ବା ଅନ୍ୟ କୌଣସି ସ୍ଥାନରେ ନୁହେଁ । ଯଦି ତାହା ନ ହୁଏ , ତେବେ ଆପଲ୍ ଆମେରିକାକୁ ଅତି କମରେ ୨୫ ପ୍ରତିଶତ ଆମଦାନୀ କର ଦେବ ।