ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ: ପାର୍ବଣ ଋତୁ ଆସିଛି l ଆଉ କେଇଟା ଦିନ ପରେ ସାର୍ବଜନୀନ ମା ଦୁର୍ଗା ପୂଜା l ଏହା ପରେ ଲଷ୍ମୀ ପୂଜା, ତା ପଛକୁ ଆସୁଛି କାଳୀ ପୂଜା l ଯଦିଓ କାଳୀ ପୂଜା ସହିତ ଆଦିବାସୀମାନଙ୍କର କୌଣସି ସମ୍ପର୍କ ନାହିଁ l ତେବେ କେତେକ ସାନ୍ତାଳ ସମ୍ପ୍ରଦାୟ କାଳୀ ପୂଜା ସମୟରେ ତ ଆଉ କେତେକ ରାସପୁର୍ଣ୍ଣିମା ସମୟରେ ଧୁମଧାମରେ ସେମାନଙ୍କର ସହରାଇ ପର୍ବ ପାଳନ କରିଥାନ୍ତି l ସହରାଇ ପର୍ବ ପାଇଁ ସାନ୍ତାଳୀମାନେ ସ୍ୱତନ୍ତ୍ର ଗୀତନାଚ କରିବାର ପରମ୍ପରା ପ୍ରାୟତଃ ସବୁ ଗ୍ରାମମାନଙ୍କରେ ପ୍ରଚଳିତ l ବିଜାତଳା ବ୍ଲକ ଅଞ୍ଚଳରେ ରହିଅଛି ସାନ୍ତାଳୀ ଗୀତସଂଗୀତ ଜଗତର ଜଣାଶୁଣା ଆଲବମ ପ୍ରଯୋଜକ ରାସବିହାରୀ ପ୍ରଡକ୍ସନ l ଆଜି ରାସବିହାରୀ ପ୍ରଡକ୍ସନ ଆନୁକୂଲ୍ୟରେ ସାନ୍ତାଳୀ ଭାଷାରେ ସହରାଇ ପରବ ଗୀତର ରେକର୍ଡିଙ୍ଗ ହାଟବାଦଡା ନିକଟସ୍ଥ କାଦୁଆଣିର ତିରିଆ ଷ୍ଟୁଡ଼ିଓରେ ହୋଇଯାଇଛି l ସମ୍ପୂର୍ଣ୍ଣ ପାରମ୍ପରିକ ବାଦ୍ୟଯନ୍ତର ତାଳେ ତାଳେ ଗୀତଟିକୁ ଗାଇଛନ୍ତି ଯୁବ କଣ୍ଠ ଶିଳ୍ପୀ ହାର୍ଟଲେସ କାରାନ, କୁମାର ସ୍ୱାନ,ଅଲିଭା ଏବଂ ହେମ୍ବ୍ରମ ଦଲୁ ଏହାକୁ ବଡ଼ବାବୁ ଟୁଡୁ ରଚନା କରିଥିବା ବେଳେ ହାର୍ଟଲେସ କାରାନ ଟୁଡୁ ଏଥିରେ ସ୍ୱର ସଂଯୋଜନା କରିଛନ୍ତି l ଏହି ଗୀତଟି ଆଦିବାସୀ ସାନ୍ତାଳୀ ସାମ୍ପ୍ରଦାୟଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହେବ ବୋଲି ଆଶା କରାଯାଉଛି ।