ଖୋଲିବ ସବୁ ଗୁମର : କିଏ ହତ୍ୟାକାରୀ ଏଥର ଧରାପଡିବ ?

ଭୁବନେଶ୍ୱର : ସମସ୍ତ ବଡ ବଡ ହତ୍ୟା କାଣ୍ଡର ପର୍ଦାଫାଶ କରିବା ବିଜେପି ସରକାର । ବିଜେଡି ସରକାରର ଏକଛତ୍ରବାଦ ଶାସନରେ ହୈ ପ୍ରୋଫାଇଲ ହତ୍ୟାକାଣ୍ଡର ରହସ୍ୟ ଚାପି ହୋଇ ରହିଛି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ରୁ ଆରମ୍ଭ କରି ମନ୍ତ୍ରୀ ନବ ଦାସଙ୍କ ହତ୍ୟାର କାରଣ ଏବେବି ସନ୍ଦେହ ଘେରରେ ଅଛି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ, ଶିକ୍ଷୟିତ୍ରୀ ମମିତା ମେହର ଏବଂ ମନ୍ତ୍ରୀ ନବ କିଶୋର ଦାସଙ୍କ ପୁରୁଣା ଫାଇଲ ଖୋଲିବ ବିଜେପି । ଏସମସ୍ତ ହତ୍ୟାକାଣ୍ଡ ପୁନଃତଦନ୍ତ କରାଯିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେବା ସମୟରେ ଏହା ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ।

ସୂଚନା ଯୋଗ୍ୟ ଯେ, ଗତ ୨୦୨୩ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ଏଏସଆଇ ଗୋପାଳ ଦାସ ଦିନ ଦ୍ଵିପ୍ରହରେ ଗୁଳି ମାରି ହତ୍ୟା କରିଥିଲା । ଏହା ପଛରେ ବିଜେଡି ନେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆସିଥିଲା । ମାମଲାର ଅଭିଯୁକ୍ତ ଗୋପାଳ ଦାସ ଜେଲ ରେ ଅଛି । ହେଲେ ହତ୍ୟାକାଣ୍ଡ ପଛରେ ବିରାଟ ଷଡଯନ୍ତ୍ର ରଚାଯାଇଥିବା ଅଭିଯୋଗ ହୋଇଥିଲା । ତେଣୁ ପୁନଃ ତଦନ୍ତ କରାଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ସେହିପରି ୨୦୧୨ ମମୀତା ମେହେର ଏବଂ ୨୦୦୮ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲା ମଧ୍ୟ ପୁନଶ୍ଚ ତଦନ୍ତ ପରିସରଭୁକ୍ତ କରାଯିବ ।