ନୂଆଦିଲ୍ଲୀ: ବଢିଲା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ରିମାଣ୍ଡ ଅବଧି । ପୁରୁଣା କଥା ଦୋହରାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ପୁଣି ରିମାଣ୍ଡରେ ନେଇଛି। ଆସନ୍ତା ୧ ତାରିଖ ଯାଏ ସେ ଇଡି ରିମାଣ୍ତରେ ରହିବେ। ମାର୍ଚ୍ଚ୨୧ ତାରିଖରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କୁ ୨୨ ତାରିଖରୁ ୭ ଦିନ ଅର୍ଥାତ ୨୮ ତାରିଖ ଯାଏ ରିମାଣ୍ଡରେ ନେଇଥିଲା। ଆଜି ରିମାଣ୍ଡ ଅବଧି ଶେଷ ହେଉଥିବାରୁ ଇଡି ରାଉଜ ଆଭିନ୍ୟୁ କୋର୍ଟରେ ତାଙ୍କୁ ହାଜର କରିଥିଲା। ଏହି ସମୟରେ ଇଡି ତାଙ୍କୁ ଆଉ ୭ ଦିନର ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। କିନ୍ତୁ କୋର୍ଟ ତାଙ୍କୁ ୪ ଦିନର ରିମାଣ୍ଡରେ ପଠାଇ ଦେଇଛନ୍ତି। ଆଡିସିନାଲ ସଲିସିଟର ଜେନେରାଲ ଏସ୍ଭି ରାଜୁ ଓ ସ୍ପେଶାଲ କାଉନସିଲ ଜୋହେବ ହୁସେନ ଇଡି ପାଇଁ ଯୁକ୍ତି ରଖିଥିଲେ। ସେମାନେ କହିଛନ୍ତି ଯେ ତଦନ୍ତ ବେଳେ ଠାବ ହୋଇଥିବା ଡିଜିଟାଲ ତଥ୍ୟର ଯାଞ୍ଚ ଆବଶ୍ୟକ। କେଜ୍ରିୱାଲ ଡିଜିଟାଲ ତଥ୍ୟ ପାଇବା ପାଇଁ ଆବଶ୍ୟକ ପାସୱାର୍ଡ ଦେଉ ନାହାନ୍ତି। ସେ କୌଣସି ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି। ତାଙ୍କୁ କିଛି ଲୋକଙ୍କ ସାମ୍ନାସାମ୍ନି ଜେରା କରିବାର ଆବଶ୍ୟକତା ରହିଛି। ମଦ ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ରିମାଣ୍ଡ ଅବଧି ଆଜି ସରୁଥିଲା । ଇଡି ତାଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା । ସେଠାରେ ଇଡି ଏବଂ କେଜ୍ରିୱାଲାଙ୍କ ପକ୍ଷରୁ ଜୋରଦାର ଯୁକ୍ତି ଦିଆଯାଇଥିଲା । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିବା ସହ କେଜ୍ରିୱାଲଙ୍କୁ ଏପ୍ରିଲ ୧ ଯାଏ ଇଡି ରିମାଣ୍ଡରେ ପଠାଇ ଦେଇଥିଲେ। କୋର୍ଟରେ ହାଜର ହେବା ବେଳେ କେଜ୍ରିୱାଲ ତାଙ୍କ ଗିରଫଦାରୀଙ୍କୁ ରାଜନୀତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ।