ଆଜି ପିଲାଙ୍କ ପାଇଁ ଦିନଟିଏ : ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ

ଆଜି ପିଲାଙ୍କ ପାଇଁ ଦିନଟିଏ  । ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ । ଦେଶ ନିର୍ମାଣରେ ଶିଶୁମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି । ପରିବାର ଭିତରୁ ହିଁ ସେ ଜୀବନର ମଧୁରତା ସଂଗ୍ରହ କରିଥାଏ । ଏକ ଶାନ୍ତ, ସୁସଂପନ୍ନ, ସ୍ନେହସିକ୍ତ ପରିବାରରେ ବଢିଲେ ଶିଶୁଟିର ଭବିଷ୍ୟତକର ସୁନାଗରିକ ଓ ସୁସଂପଦ ହୋଇଥାଏ ।

ଏହି କଥାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ପଣ୍ଡିତ ଜବାହରଲାଲ ନେହରୁ। କୁନି କୁନି ପିଲାଙ୍କୁ ସେ ଅଜସ୍ର ସ୍ନେହ କରୁଥିଲେ । ସେଥିପାଇଁ ପିଲାମାନେ ତାଙ୍କୁ ସ୍ନେହରେ ‘ଚାଚା ନେହରୁ’ ବୋଲି ଡାକୁଥିଲେ। ତାଙ୍କ ମତରେ ‘ଶିକ୍ଷା ହିଁ ପ୍ରଗତିର ମୂଳପିଣ୍ଡ’।

ତେଣୁ ଭବିଷ୍ୟତର ନାଗରିକମାନଙ୍କ ଶିକ୍ଷା ଉପରେ ସେ ବିଶେଷ ଧ୍ୟାନ ଦେଇଥିଲେ। ସେହି ମହାନ ରାଷ୍ଟ୍ରନେତାଙ୍କର ଜନ୍ମଦିନକୁ ସାରାଦେଶ ଶିଶୁ ଦିବସ ଭାବେ ପାଳନ କରୁଛି। ଦେଶର କୋଣ ଅନୁକୋଣରେ, ପଲ୍ଲୀଠୁ ଦିଲ୍ଲୀ ସବୁଠି ଶିଶୁ ଦିବସକୁ ବେଶ୍‌ ଆନନ୍ଦ ଉତ୍ସାହର ସହ ପାଳନ କରାଯାଏ । ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାରା ଦେଶ ପାଳିଥାଏ ଏହି ଦିବସ। ଶିଶୁ ଦିବସ ଅବସରରେ ସ୍କୁଲଗୁଡ଼ିକରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା ଏବଂ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ।