ମୁମ୍ବାଇ: ଚଳିତ ବିଶ୍ବକପରେ ଗୁରୁବାର ଶ୍ରୀଲଙ୍କାକୁ ୩୦୨ ରନରେ ପରାସ୍ତ କରି ବିଶ୍ବକପ୍ ଇତିହାସରେ ଭାରତ ନିଜର ସର୍ବବୃହତ୍ ବିଜୟ (ରନ୍ ବ୍ୟବଧାନ) ସହ ସେମିଫାଇନାଲରେ ପ୍ରବେଶ କରିଛି। ଭାରତୀୟ ବ୍ୟାଟର୍ ମାନଙ୍କ ଏକାଗ୍ରତା ଓ ଅସାଧାରଣ ଖେଳର ପରିଚୟ ଦେଇ ପ୍ରତିପକ୍ଷ ତଥା ପଡ଼ୋଶୀ ଶ୍ରୀଲଙ୍କାକୁ ୩୫୮ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲେ। ଶ୍ରୀଲଙ୍କା କିନ୍ତୁ ମହମ୍ମଦ ସାମିଙ୍କ ନେତୃତ୍ବରେ ତିନି ଭାରତୀୟ ଦ୍ରୁତ ବୋଲରଙ୍କ ତୋଫାନି ବୋଲିଂ ଆଗରେ ତାସଘର ଭଳି ଭୁଶୁଡ଼ି ମାତ୍ର ୫୫ ରନରେ ଅଲଆଉଟ୍ ହୋଇଯାଇଥିଲା। ଯାହାଫଳରେ ଭାରତ ୩୦୨ ରନରେ ବିଜୟୀ ହୋଇ ସେମିଫାଇନାଲ୍କୁ ପ୍ରବେଶ କରିବାରେ ପ୍ରଥମ ଦଳ ହୋଇଥିଲା।
ଭାରତୀୟ ଟିମକୁ ଏତେ ବଡ଼ ସଫଳତା ମିଳିବା ପରେ ବଲିଉଡ ଅଭିନେତ୍ରୀ ତଥା କ୍ରିକେଟର ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଯେଉଁ ପ୍ରତିକ୍ରିୟା ଦେଇଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତ ସେମିଫାଇନାଲକୁ ଯିବା ପରେ ଇନଷ୍ଟାରେ ଏକ ଷ୍ଟୋରୀ ପୋଷ୍ଟ କରିଥିଲେ ଅନୁଷ୍କା। ଷ୍ଟୋରୀରେ ‘ଇଣ୍ଡିଆନ କ୍ରିକେଟ ଟିମ୍’ ପୋଷ୍ଟ କରିଥିବା ଏକ ଫଟୋକୁ ଅନୁଷ୍କା ସେୟାର କରିଥିଲେ।
ଏଥିରେ ସାମ୍ନାରେ ବିରାଟ ଓ ଅଧିନାୟକ ରୋହିତ ଶର୍ମା ନଜର ଆସୁଥିବା ବେଳେ ସେମାନଙ୍କ ପଛରେ ଅନ୍ୟ ଖେଳାଳିମାନେ ରହିଛନ୍ତି। ଏହି ଫଟୋ ସେୟାର କରି ଅନୁଷ୍କା ଲେଖିଛନ୍ତି ‘ଏହି ଟିମ୍’। ଏହା ସହିତ ସେ ନୀଳ ରଙ୍ଗର ହୃଦୟ ଇମୋଜି ଦେଇଛନ୍ତି।