ମୁହାଁମୁହିଁ ଧକ୍କା : ପତ୍ନୀ ମୃତ, ସ୍ବାମୀ ଗୁରୁତର

ବୈପାରିଗୁଡା :  ବସ୍ ସହ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ପତ୍ନୀଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ସ୍ବାମୀ ଗୁରୁତର ଭାବେ ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘଟଣା ଅନୁଯାୟୀ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ମାଡକାପଦର ପଞ୍ଚାୟତ କଟରାକୁଣ୍ଡର ଶୁକ୍ରା ପାଙ୍ଗି (୨୫) ନିଜ ପତ୍ନୀ ପରଲି ପାଙ୍ଗି (୨୨) ନିଜ ବାଇକ୍ ଯୋଗେ ବୈପାରିଗୁଡା ପଟୁ ନିଜ ଗ୍ରାମକୁ ଫେରୁଥିବା ବେଳେ ପଣ୍ଡିତବେଡା ଛକ ନିକଟରେ ମାଲକାନଗିରିରୁ ଫେରୁଥିବା ଏକ ଘରୋଇ ବସ ସହ ଧକ୍କା ହୋଇଥିଲା।

ଯାହାଫଳରେ ଘଟଣାସ୍ଥଳରେ ପରଲିଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଶୁକ୍ରା ଗୁରୁତର ଭାବେ ଆହତ ହୋଇଛନ୍ତି। ଶୁକ୍ରାଙ୍କର ବାମ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଜଣାପଡିଛି। ତେବେ ମନ୍ତ୍ରୀଆମ୍ବ ଠାରେ ଅବସ୍ଥାପିତ ୧୮୦ ବାଟାଲିୟନ ବିଏସଏଫ ଯବାନ ମାନେ ପେଟ୍ରୋଲିଂ କରୁଥିବା ବେଳେ ଦୁର୍ଘଟଣା ସ୍ଥାନରେ ପହଞ୍ଚି ଉଭୟଙ୍କୁ ବିଏସଏଫ ଭ୍ୟାନ ଯୋଗେ ବୈପାରିଗୁଡା ଡାକ୍ତରଖାନାରେ ଆଣି ପହଞ୍ଚାଇଥିଲେ। ଶୁକ୍ରାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କୋରାପୁଟ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ପରଲିଙ୍କ ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ। ବୈପାରିଗୁଡା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।