ରକେଟ ଓମ୍ୟାନଙ୍କୁ ଚନ୍ଦ୍ରଯାନ-୩’ର ଦାୟିତ୍ୱ : ଜାଣନ୍ତୁ କିଏ ଏହି ମହିଳା…

ନୂଆଦିଲ୍ଲୀ : ପୂର୍ବରୁ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ହୋଇ ରହି ଯାଉଥିଲେ ଝିଅ ମାନେ | ବାହାରେ କଣ ଚାଲିଛି, ଏଦୁନିଆ କଣ କିଛି ଜାଣି ପାରୁନଥିଲେ | କିନ୍ତୁ ଏବେ ନା ସେ ସମୟ ଅଛି ନା ଅଛି ସେ ପୁରୁଣା ଚିନ୍ତା ଧାରା | ଶିକ୍ଷା ବଳରେ ଆଜି ମହିଳା ବହୁତ ଆଗରେ | ଏବେ ସେମାନେ ପାଣିରେ ବୁଡିବାଠୁ ଆରମ୍ଭ କରି ଆକାଶରେ ଉଡିବା ପର୍ଯ୍ୟନ୍ତ ସବୁଥିରେ ନିଜର ପାରଦର୍ଶିତା ଦେଖାଉଛନ୍ତି । ମହିଳାମାନେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ସାରିଲେଣି। କେଉଁଠି ମହିଳା ବିଶାଳ ସେନା ବାହିନୀର ନେତୃତ୍ୱ ନେଉଛନ୍ତି। ସେହି ମହିଳାମାନଙ୍କ ଜୟଯାତ୍ରାରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହୋଇଯାଇଛି।

ମହାକାଶ ବିଜ୍ଞାନରେ ଆଉ ଜଣେ ମହିଳାଙ୍କ ନାମ ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ ହୋଇଛି | ଏହି ମହିଳା ଜଣଙ୍କ ହେଉଛନ୍ତି ବୈଜ୍ଞାନିକ ଋତୁ କରିଧାଲ୍‌ ଶ୍ରୀବାସ୍ତବ । ନିକଟରେ ଆନ୍ଧ୍ରପ୍ରଦେଶର ଶ୍ରୀ ହରିକୋଟାସ୍ଥିତ ସତୀଶ ଧୱନ୍‌ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ ହୋଇଥିବା ‘ଚନ୍ଦ୍ରଯାନ-୩’ର ନେତୃତ୍ବ ନେଇଛନ୍ତି ‘ଭାରତର ରକେଟ୍‌ ଓମ୍ୟାନ୍‌’ ଭାବେ ପରିଚିତା ଋତୁ କରିଧାଲ୍‌ ଶ୍ରୀବାସ୍ତବ। ସେ ଚନ୍ଦ୍ରଯାନ-୩ ମିଶନର ନିର୍ଦ୍ଦେଶିକା ଭାବେ ଗୁରୁ ଦାୟିତ୍ୱ ନିର୍ବାହ କରୁଛନ୍ତି। ଲକ୍ଷ୍ନୌ ବାସିନ୍ଦା ଋତୁ ଭାରତୀୟ ବିଜ୍ଞାନ କ୍ଷେତ୍ରରେ ଜଣେ ଆଗଧାଡ଼ିର ବୈଜ୍ଞାନିକ। ମଙ୍ଗଳ ମିଶନରେ ତାଙ୍କର ଭୂମିକାକୁ ଦୃଷ୍ଟିରେ ରଖି ତାଙ୍କୁ ଚନ୍ଦ୍ରଯାନ-୩ର ଗୁରୁ ଦାୟିତ୍ୱ ଦିଆଯାଇଛି। ମଙ୍ଗଳ ମିଶନର ଡେପୁଟି ଡାଇରେକ୍ଟର ଭାବେ କାମ କରିସାରିଛନ୍ତି ଋତୁ।

ଏହାସହ ଚନ୍ଦ୍ରଯାନ-୨ରେ ମଧ୍ୟ ତାଙ୍କୁ ମିଶନ ଡାଇରେକ୍ଟର ଦାୟିତ୍ୱ ଦିଆଯାଇଥିଲା। ପ୍ରଥମେ ଲକ୍ଷ୍ନୌ ନବଯୁଗ ମହାବିଦ୍ୟାଳରୁ ସ୍କୁଲ ଶିକ୍ଷା ଶେଷ କରିବା ପରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍ ଶେଷ କଲେ । ୬ ମାସ ରିସର୍ଚ୍ଚ କରିବା ପରେ ଗେଟ୍ ପାଇଲେ । ୨୦୦୭ରେ ଇସ୍ରୋରେ ଯୋଗ ଦେଲେ ଋତୁ । ଏରୋସ୍ପେଶରେ ବିଶେଷଜ୍ଞତା ହାସଲ କରିଥିବା ଋତୁଙ୍କ ପୁରା କ୍ୟାରିୟର ଅଭିଜ୍ଞତାରେ ଭରପୁର । ୨୦୦୭ରେ ଋତୁଙ୍କୁ ଯୁବ ବୈଜ୍ଞାନିକ ପୁରସ୍କାର ମିଳିଥିଲା। ତାଙ୍କୁ ରକେଟ୍‌ ୱିମ୍ୟାନ ଭାବେ ଜଣାଯାଏ। ପିଲାଦିନୁ ଋତୁ କରିଧାଲ ଶ୍ରୀବାସ୍ତବ ମହାକାଶ ବିଜ୍ଞାନରେ ରୁଚି ରଖିଥିଲେ।