ନବଙ୍କୁ ମାରିବାକୁ ଲଣ୍ଡା ହୋଇଥିଲା ଗୋପାଳ!
ନିଜ ଭାଇଙ୍କ ସହ ସମ୍ବଲପୁର ସମଲେଇ ମନ୍ଦିର ଯାଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ
ଭୁବନେଶ୍ୱର : ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଗୋପାଳ । ନିଜ ଭାଇଙ୍କ ସହ ସମ୍ବଲପୁର ସମଲେଇ ମନ୍ଦିର ଯାଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ । ଆଉ ଶପଥ ନେବା ପରେ ନବଙ୍କୁ ହତ୍ୟା କରିବାକୁ ବାରମ୍ବାର ପ୍ରୟାସ କରିଚାଲିଥିଲା । କିନ୍ତୁ ସବୁ ପ୍ରୟାସରେ ସେ ବିଫଳ ହୋଇଥିଲା । ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ କ୍ରାମବ୍ରାଞ୍ଚର ୫ଶହ ପୃଷ୍ଟାର ଚାର୍ଜସିଟରେ ରହିଛି ।
ସେଥିରେ ଆହୁରି ମଧ୍ୟ ରହିଛି ଯେ, ବ୍ରଜରାଜନଗରରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ନବଙ୍କୁ ହତ୍ୟା ପାଇଁ ଯୋଜନା କରି ଫେଲ୍ ମାରିଥିଲା ଗୋପାଳ।ସେହି ଦିନଠୁ ନିଜ ସର୍ଭିସ୍ ପିସ୍ତଲରେ ଗୁଳି ଲୋଡ୍ କରି ବି ରଖିଥିଲା। ହତ୍ୟାର କାରଣ ସମ୍ପର୍କରେ ବି ଚାର୍ଜସିଟ୍ରେ ସମ୍ୟକ ତଥ୍ୟ ରଖାଯାଇଛି। ଗୋପାଳ ବଡ଼ମାଲ ଥାନାରେ ଥିବାବେଳେ ଅନେକ ସମୟରେ ଟ୍ରାଫିକ୍ ଡ୍ୟୁଟି କରୁଥିଲେ।
ନିର୍ବାଚନ ବେଳେ ଦିନେ ନବ ଓ ତାଙ୍କ ସମର୍ଥକଙ୍କ ଗାଡ଼ିକୁ ଯାଞ୍ଚ କରିଥିଲେ ଗୋପାଳ। ଏହି ସମୟରେ ନବ ଦାସଙ୍କ ସମର୍ଥକ ତାଙ୍କୁ ଧମକାଇବା ସହ ଗାଳିଗୁଳଜ କରିଥିଲେ। ଫଳରେ ଗୋପାଳ ଗାଡ଼ି ଯାଞ୍ଚ ନକରି ସେଠୁ ଚାଲି ଯାଇଥିଲେ। ପରବର୍ତ୍ତୀ ସମୟରେ ନବଙ୍କ ସମର୍ଥକଙ୍କ ଦ୍ୱାରା ତାଙ୍କ ଜୀବନ ପ୍ରତି ବିପଦ ଥିବା ଭାବି ଏତେ ବଡ଼ କାଣ୍ଡ ଗୋପାଳ ଭିଆଇଥିବା ଚାର୍ଜସିଟ୍ରେ ଉଲ୍ଲେଖ ହୋଇଛି। ହତ୍ୟାକାଣ୍ଡ ଘଟଣାରେ ଏଫଆଇଆର୍ କପି, ରାଜ୍ୟ ଫୋରେନସିକ୍ ବିଭାଗର ରିପୋର୍ଟ ସମେତ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ, ପୁଅ ବିଶାଲ ଦାସଙ୍କ ବୟାନ ରେକର୍ଡ ଲିଖିତ ଆକାରରେ ରହିଛି। ଘଟଣାର ତଦନ୍ତ ସରି ନାହିଁ, ଜାରି ରହିଛି ବୋଲି କ୍ରାଇମବ୍ରାଞ୍ଚ ଉଲ୍ଲେଖ କରିଛି। ତଦନ୍ତ ସମୟରେ ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ଜିନିଷ, କାଗଜପତ୍ର ଜବତ ହୋଇଥିବା ନେଇ ତାଲିକା ସଂଲଗ୍ନ କରାଯାଇଛି ।