ଭୁବନେଶ୍ୱର: ଖଣ୍ଡଗିରି ଥାନା ପୁଲିସ ହାତରେ ଲୁଟେରା ଗ୍ୟାଙ୍କ । ଆଜି ଖଣ୍ଡଗିରି ଥାନା ପୁଲିସ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ଧରି ଖଣ୍ଡଗିରି ଥାନା ଅଞ୍ଚଳରେ ବିଭିନ୍ନ ଲୋକଙ୍କ ନିକଟରୁ ଭ୍ୟାନିଟି ବ୍ୟାଗ, ସୁନା ଅଳଙ୍କାର ଓ ମୋବାଇଲ ଫୋନ ସବୁ ଲୁଟ ହେବା ନେଇ ସମ୍ପୃକ୍ତ ଥାନାରେ ଅଭିଯୋଗ ହେଉଥିଲା । ଏହି ଅଭିଯୋଗ ଗୁଡିକର ତଦନ୍ତ ଦାୟିତ୍ବ ଖଣ୍ଡଗିରି ଥାନା ସହିତ ପଓପିଡି ଓ ଟିମ-୬୦ କୁ ଦିଆଯାଇଥିଲା । ଘଟଣାର ତଦନ୍ତ ସମୟରେ ଜଣା ପଡିଥିଲା ଯେ, ଦୁଇଜଣ ଅଭିଯୁକ୍ତ ଏକ ମୋଟରସାଇକେଲର ନମ୍ବର ପ୍ଲେଟର ନମ୍ବରକୁ ବ୍ଲାକଟେପ ସହାୟତାରେ ବଦଳାଇ, ରାସ୍ତାରେ ଯାଉଥିବା ଲୋକମାନଙ୍କ ନିକଟରୁ ଭ୍ୟାନିଟି ବ୍ୟାଗ ସହିତ ସୁନା ଅଳଙ୍କାର ଏବଂ ମୋବାଇଲ ଫୋନ ଲୁଟ କରୁଥିଲେ । ମାମଲାର ତଦନ୍ତ ଚାଲିଥିବା ସମୟରେ ପିଓପିଡି ଓ ଟିମ-୬୦ ର ସଦସ୍ୟ ମାନେ ସଦା ପୋଷାକରେ ଥାଇ ବିଭିନ୍ନ ସ୍ଥାନରେ ଚଢଉ କରିବା ସହିତ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ଉଭୟ ଅଭିଯୁକ୍ତଙ୍କ ନିକଟରୁ ୬ଟି ସୁନା ଚେନ, ହଳେ ସୁନା କାନ ଫୁଲ, ଗୋଟିଏ ମୋବାଇଲ ଫୋନ ଏବଂ ଏକ ମୋଟରସାଇକେଲ ଜବତ କରିଛନ୍ତି । ପଚରାଉଚରା ବେଳେ ଉଭୟ ଅଭିଯୁକ୍ତ ନିଜ ଦୋଷ ସ୍ଵୀକାର କରିଥିଲେ । ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ ଚନ୍ଦନ ନାୟକ ଜଣେ ଅଭ୍ୟାସଗତ ଅପରାଧୀ ଅଟନ୍ତି । ତାଙ୍କ ନାମରେ ଖଣ୍ଡଗିରି ଥାନାରେ ୩ଟି ମାମଲା ରହିଥିବା ବେଳେ ଶହୀଦନଗର ଥାନାରେ ମଧ୍ୟ ୩ଟି, ନୟାପଲ୍ଲୀ ଥାନାରେ ୨ଟି, ବଡଗଡ ଥାନାରେ ଗୋଟିଏ ଏବଂ କ୍ୟାପିଟାଲ ଥାନାରେ ୨ଟି ମାମଲା ରହିଛି । ଅଭିଯୁକ୍ତ ଜଣକ କ୍ରମାଗତ ଭାବେ ବିଭିନ୍ନ ପ୍ରକାର ଅପରାଧିକ ମାମଲାରେ ସମ୍ପୃକ୍ତ ରହୁଥିବାରୁ ତାଙ୍କ ବିରୋଧରେ CrPC-110 ଧାରା ଅନୁଯାଇ କାର୍ୟ୍ୟାନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ନିଯାଉଅଛି ।