ପୁରୀ: ଦେବସ୍ନାନ ପୂର୍ଣ୍ଣିମା ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତିର ଅନ୍ୟତମ ପ୍ରମୁଖ ପର୍ବ। ଏହିଦିନ ସ୍ନାନ ମଣ୍ଡପରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କୁ ୧୦୮ କଳସ ପବିତ୍ର ଜଳରେ ମହାସ୍ନାନ କରାଯାଏ। କିନ୍ତୁ ଏହା ପରେ ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ନାହିଁ। ଏହି ସମୟକୁ ଅନବସର ବା ଅନସର କୁହାଯାଏ।

ଲୋକବିଶ୍ୱାସ ଅନୁଯାୟୀ, ୧୦୮ କଳସ ଜଳରେ ମହାସ୍ନାନ ପରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୁଅନ୍ତି। ସେଥିପାଇଁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅନବସର ଘରକୁ ବିଜେ କରାଯାଏ। ଏହି ସମୟରେ ସାଧାରଣ ଭକ୍ତଙ୍କ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିଥାଏ। ଅନବସର ସମୟରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ସେବା କରିଥାନ୍ତି। ଫଳ, ଔଷଧୀୟ ପଥ୍ୟ ଓ ବିଶେଷ ଭୋଗ ଲାଗି କରାଯାଏ। ଏହା ସହ ଶ୍ରୀବିଗ୍ରହଙ୍କ ରଙ୍ଗ ଓ ଶୃଙ୍ଗାରର ନବୀକରଣ ହୋଇଥାଏ, ଯାହାକୁ ବନକଲାଗି ନୀତି ବୋଲି କୁହାଯାଏ।

ଅନବସର ଶେଷରେ ନବଯୌବନ ଦର୍ଶନ ହୋଇଥାଏ। ଏହିଦିନ ମହାପ୍ରଭୁ ନୂତନ କାନ୍ତି ଓ ଶୃଙ୍ଗାରରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ଏହାର ପରଦିନ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରାରେ ତିନି ରଥରେ ବିରାଜମାନ ହୋଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି। ଏହିପରି ଦେବସ୍ନାନ ପୂର୍ଣ୍ଣିମାରୁ ଅନବସର, ନବଯୌବନ ଦର୍ଶନ ଓ ରଥଯାତ୍ରା ପର୍ଯ୍ୟନ୍ତ ପ୍ରତ୍ୟେକ ନୀତି ଶ୍ରୀଜଗନ୍ନାଥ ସଂସ୍କୃତିର ସ୍ୱତନ୍ତ୍ର ପରମ୍ପରା ଓ ଆଧ୍ୟାତ୍ମିକ ମହତ୍ତ୍ୱକୁ ବହନ କରିଆସୁଛି।