ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍ : ମୋଟ ୩୧ଟି ଗେଟ୍ ଦେଇ ହେବ ଜଳ ନିଷ୍କାସନ, ଆହୁରି ଖୋଲିବ ୯ଟି ଗେଟ୍‌

ମୋଟ ୪୦ଟି ଗେଟ ଦେଇ ଜଳ ନିଷ୍କାସନ ହେବ

ଭୁବନେଶ୍ୱର: ଉପରମୁଣ୍ଡରେ ବର୍ଷା କାରଣରୁ ହୀରାକୁଦରେ ବୃଦ୍ଧି ପାଉଛି ଜଳସ୍ତର । ଜଳସ୍ତର ବଢ଼ିବା କାରଣରୁ ହୀରାକୁଦ ଜଳଭଣ୍ଡାରରୁ ଆଜି ଅପରାହ୍ନ ୪ଟାରେ ପୁଣି ୫ଟି ସ୍ଲୁଇସ୍‌ ଗେଟ୍‌ ଖୋଲିଦିଆଯାଇଛି। ଏହାକୁ ମିଶାଇ ମୋଟ୍ ୩୧ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ତେବେ ରାତି ୯ଟା ସୁଦ୍ଧା ଆଉ ୯ଟି ଗେଟ୍ ଖୋଲିବାର ସମ୍ଭାବନା ରହିଛି । ୨୬ଟି ଗେଟ୍ ଦେଇ ପୂର୍ବରୁ ନିଷ୍କାସନ ହେଉଥିଲା । ପର୍ଯ୍ୟାକ୍ରମେ ଆଜି ମୋଟ ୧୪ଟି ଗେଟ୍ ଖୋଲାଯିବ ।

ପୂର୍ବରୁ ୨୬ ଏବଂ ଆଜିର ୧୪ ମିଶାଇ ମୋଟ୍ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯିବ । ତେବେ ହୀରାକୁଦ ଜଳଭଣ୍ଡାରରୁ ମୋଟ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯିବା ଦ୍ବାରା ମହାନଦୀର ତଳିଆ ଅଞ୍ଚଳରେ ଆହୁରି ଦୁର୍ଦ୍ଦଶା ବଢ଼ିବା ଆଶଙ୍କା କରାଯାଉଛି। ମହାନଦୀର ତଳିଆ ଅଞ୍ଚଳରେ ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇଥିବା ଦେଖାଯାଇଛି।

ସମ୍ବଲପୁରରୁ ଆରମ୍ଭ କରି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ମହାନଦୀ କୂଳିଆ ଗାଁଗୁଡ଼ିକର ଚିନ୍ତା ବଢ଼ିଛି। କଟକ ଜିଲ୍ଲା ଆଠଗଡ଼, ବାଙ୍କୀ ଓ ନରସିଂହପୁରରେ ବନ୍ୟାଜଳ ସର୍ବାଧିକ କ୍ଷତି କରିଥିବା ଜଣାଯାଇଛି। ବାଙ୍କୀ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନେ କ୍ଷତି ସହିଛନ୍ତି। ୧୪ ଗେଟ୍ ଖୋଲିବା ପରେ ବି ମଧ୍ୟମ ଧରଣର ବନ୍ୟା ରହିବ । ଆଗକୁ ଆଉ ଏକ ଲଘୁଚାପ ଆସୁଛି । ତାହାକୁ ନଜରରେ ରଖି ଅଧିକ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

ଦୁଇ ତିନିଦିନ ବର୍ଷା ନଥିବାରୁ ଜଳଭଣ୍ଡାର ପାଣି ଛାଡିବାରେ ଅସୁବିଧା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ ହେଉଛି । ୪୦ ଗେଟ୍ ଖୋଲିଲେ ବିଶେଷ ଅସୁବିଧା ହେବନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।