ଭୁବନେଶ୍ୱର: ଆଦିବାସୀ ମହିଳାଙ୍କୁ ଚିତ୍ରକୋଣ୍ଡା ଏସ୍ଡିପିଓ ଅଂଶୁମାନ ଦ୍ୱିବେଦୀ ମାଡ଼ ମାରିବା ଘଟଣାକୁ ନେଇ ବିଧାନସଭା ହୁଲ୍ସ୍ତୁଲ୍ ପରେ ଘଟଣାରେ ବଡ଼ ନିର୍ଦ୍ଦେଶ ଦିଆଯାଇଛି। ବିଧାନସଭାରେ ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସୂଚନା । କ୍ରାଇମବ୍ରାଞ୍ଚ ଆଇଜି କରିବେ ଘଟଣାର ତଦନ୍ତ । ଆଜି ଗୃହରେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇଥିଲା। ବିଧାୟକ ତାରାପ୍ରସାଦ ବାହିନୀପତି ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ଦାବି କରିଥିଲେ। ଏହାସହ ସମ୍ପୃକ୍ତ ଏସ୍ଡିପିଓଙ୍କୁ ନିଲମ୍ବନ କରିବା ଲାଗି ତାରା ବାହିନୀପତି ଦାବି କରିଥିଲେ।
ଘଟଣାରେ କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ କରାଇବାକୁ ବିଧାୟକ ସନ୍ତୋଷ ସିଂ ସାଲୁଜା ଦାବି କରିଥିଲେ। ସେହିପରି ବିଧାୟକ ନରସିଂହ ମିଶ୍ର ଏହାର ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରିଥିଲେ।ଅନ୍ୟପକ୍ଷେ ବିଜେପି ମଧ୍ୟ କଂଗ୍ରେସ ସହ ଘଟଣାରେ ସ୍ୱରରେ ସ୍ୱର ଉଠାଇଥିଲେ। ଆଜି ବିଧାନସଭାର ଶୂନ୍ୟ କାଳରେ ଉଠିଥିଲା ଏହି ପ୍ରସଙ୍ଗ। ଘଟଣା ଦିନ ଚିତ୍ରକୋଣ୍ଡା ଏସ୍ଡିପିଓ ଅଂଶୁମାନ ଦ୍ୱିବେଦୀ ମାଲକାନଗିରି ଆରସିଏସ-୧୩ ନମ୍ବର ଗାଁରେ ମହିଳା ଅଧିକାରୀଙ୍କୁ ସାଙ୍ଗରେ ନ ନେଇ ଗାଁରେ ପଶି ଗର୍ଭବତୀ ମହିଳା,୮୦ ବର୍ଷୀୟ ବୃଦ୍ଧା,୧୪ ବର୍ଷର ନାବାଳିକାଙ୍କୁ ମାଡ ମାରିଥିବା ଅଭିଯୋଗ କରିଥିଲେ କଂଗ୍ରେସ ସଦସ୍ୟ।
ଘଟଣା ସଂକ୍ରାନ୍ତୀୟ ଫଟୋ ମଧ୍ୟ ଗୃହରେ ପ୍ରଦର୍ଶନ କରିଥିଲେ । ମଦ ପିଇ ସାରିବା ପରେ ପୋଲିସ ବାବୁ ଆତଙ୍କରାଜ କରିଛନ୍ତି ବୋଲି କହିଥିଲେ କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି। ତେବେ ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ସେ କହିଥିଲେ । ଡ଼ାକ୍ତରଙ୍କୁ ଚାପ ପକାଇ ମିଥ୍ୟା ରିପୋର୍ଟ ଅଣାଯାଇଛି । ମା’କୁ ସମ୍ମାନ କହୁଥିବା ସରକାରଙ୍କ ଏ କି ସମ୍ମାନ ବୋଲି ପ୍ରଶ୍ନ କରିଥିଲେ ବିରୋଧୀ ଦଳ ନେତା।