ସମ୍ବଲପୁର: ଅସୁସ୍ଥ ହାତୀର ମୃତ୍ୟୁ । ସମ୍ବଲପୁର ସାପଲହରାରେ ପୋଖରୀ ଭିତରେ ଫସିଥିବା ହାତୀର ମୃତ୍ୟୁ ହୋଇଛି । ଆଜି କ୍ରେନ୍ ସାହାଯ୍ୟରେ ପୋଖରୀରୁ ହାତୀକୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଉଦ୍ଧାରର କିଛିସମୟ ପରେ ହାତୀର ମୃତ୍ୟୁ ହୋଇଛି । ହାତୀର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆଣିବା ପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ଉଦ୍ୟମ ସତ୍ୱେ ହାତୀଟି ଶେଷରେ ଆଖି ବୁଜିଥିଲା ।
ସୂଚନା ଅନୁଯାୟୀ, ଅସୁସ୍ଥତା ଯୋଗୁଁ ଦନ୍ତା ହାତୀଟି ଗତ ଗୁରୁବାର ରାତ୍ରୀରୁ ପୋଖରୀରୁ ବାହାରିପାରୁନଥିଲା । ପ୍ରାୟ ପାଞ୍ଚ ଦିନ ହେବ ଦନ୍ତା ହାତୀଟି ପୋଖରୀରେ ଅସୁସ୍ଥ ହୋଇ ପଡିରହିଥିଲା । ତେବେ ଅଧାପାଣି ଓ ଅଧା କାଦୁଅରେ ରଖି ହାତୀକୁ ଚିକିତ୍ସା କରାଯାଉଥିଲା । ଭୁବନେଶ୍ୱର OUATର ପ୍ରଫେସର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଦଳ ସାପଲହରା ଗାଁକୁ ଆସି ଚିକିତ୍ସା କରିଥିଲେ । ଏହାସହ ନନ୍ଦନକାନନ ଓ ସାତକୋଶିଆର ଟିମ ଓ ସମ୍ବଲପୁର ବୁର୍ଲାର ସ୍ୱତନ୍ତ୍ର ଟିମ ଆସି ଚିକିତ୍ସା କରିଥିଲେ । ରଶି ସାହାଯ୍ୟରେ ଦନ୍ତାକୁ ପୋଖରୀ କୂଳକୁ ଅଣାଯାଇ ସାଲାଇନ ଲଗାଯାଇ ଚିକିତ୍ସା କରାଯାଉଥିଲା । କିନ୍ତୁ ହାତୀଟିର ଡାହାଣ ଗୋଡ଼ଟି ଭାଙ୍ଗି ଯାଇଥିବାରୁ ସେ ପାଣିରୁ ବାହାରକୁ ଆସି ପାରି ନଥିଲା । ଆଜି ଏକ କ୍ରେନ୍ ଯୋଗେ ହାତୀକୁ ପାଣିରୁ ବାହାର କରାଯାଇଥିଲା । ହେଲେ ହାତୀଟି ବାହାରକୁ ଆସିବା ପରେ ତା’ର ମୃତ୍ୟୁ ଘଟିଛି ।