ଆସାମରେ ପ୍ରଳୟଙ୍କରୀ ବନ୍ୟା, ଏକାଧିକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ଅତ୍ୟଧିକ ବର୍ଷ ହେତୁ ଆସାମରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

(ଆସାମ) : ଅତ୍ୟଧିକ ବର୍ଷ ହେତୁ ଆସାମରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆସାମର ୩୧ଟି ଜିଲ୍ଲାରେ ପ୍ରାୟ ୪୨ ଲକ୍ଷରୁ ଅଧିକ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ଆସାମ ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଗତ ୨୪ ଘଣ୍ଟାରେ ବନ୍ୟା ଏବଂ ଭୂସ୍ଖଳନରେ ୯ ଜଣ ପ୍ରାଣ ହରାଇଛନ୍ତି।

ପାଣି ଘେରରୁ ହାଜର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ୭୪୪ଟି ଅସ୍ଥାୟୀ କ୍ୟାମ୍ପରେ ବନ୍ୟା ପୀଡିତଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଛି। ପ୍ରାୟ ୨ ଲକ୍ଷ ଲୋକ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ଭାରତୀୟ ପାଣିପାଗ ବିଭାଗ ଆସନ୍ତା ଗୁରୁବାର ଯାଏଁ ଆସାମରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି। ଯାହାକୁ ନେଇ ଅନେକ ତଳିଆ ଅଞ୍ଚଳର ଲୋକେ ଚିନ୍ତିତ ହୋଇ ପଡିଛନ୍ତି।

ଏମିତିକି ଅନେକ ଗାଁ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଡଙ୍ଗା ସହାୟତାରେ ଲୋକଙ୍କୁ ଉଦ୍ଧାର କରାଯିବା ସହ ସେମାନଙ୍କ ନିକଟରେ ରିଲିଫ ପହଞ୍ଚାଯାଉଛି। ପିଇବା ପାଣି, ବିଦ୍ୟୁତ୍ ଏବଂ ଯାତାୟତରେ ଘୋର ସମସ୍ୟା ଦେଖାଦେଇଛି। କେବଳ ବାରପେଟା ଜିଲ୍ଲାରେ ୧୨ ଲକ୍ଷ ୭୬ ହଜାର ଲୋକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି । ଦରାଙ୍ଗରେ ପ୍ରାୟ ୪ ଲକ୍ଷ, ନଗାଁଓରେ ୩ ଲକ୍ଷ ୬୪ ହଜାର ବନ୍ୟାରେ ଫସିଛନ୍ତି। ଅନ୍ୟପଟେ ସେନା, ଅର୍ଧସୈନିକ ବଳ, ଏନଡିଆରଏଫ, ଏସଡିଆରଏଫ୍ ଟିମ୍, ରାଜ୍ୟ ପୁଲିସ ବନ୍ୟା ପ୍ରଭାବିତଙ୍କୁ ସହାୟତା ଯୋଗାଉଛନ୍ତି।