କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ତଦନ୍ତକାରୀ ଅଧିକାରୀଙ୍କୁ ସାଲେପୁର ଜେଏମ୍ଏଫ୍ସି କୋର୍ଟ କାରଣ ଦର୍ଶାଅ ନୋଟିସ କରିଛନ୍ତି । ତେବେ ଖାଲି ସେତିକି ନୁହେଁ ଷ୍ଟାଟସ ରିପୋର୍ଟ ଦାଖଲ କରିବାରେ ବିଳମ୍ବ ହୋଇଥିବା କାରଣରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆସନ୍ତା ୨୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସାଲେପୁର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତବର୍ଷ ଜାନୁଆରୀ ୨ ତାରିଖରେ ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ତାଙ୍କ ଦାଦା ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ତେବେ ପରିବାର ପକ୍ଷରୁ ପୂର୍ବତନ ଆଇନ ମନ୍ତ୍ରୀଙ୍କ ପ୍ରତାପ ଜେନାଙ୍କ ସମେତ ୧୩ ଜଣଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ବିରୋଧୀ ଦଳ ପକ୍ଷରୁ ପୂର୍ବତନ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ସହିତ ଗିରଫ କରିବାକୁ ଦାବି କରିଥିଲେ । ଏନେଇ ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତେବେ ସମ୍ପୃକ୍ତ ଘଟଣାରେ ତଦନ୍ତ କରୁଥିବା ମାହାଙ୍ଗା ଥାନା ଆଇଆଇସିଙ୍କର ସଂପ୍ରତି ବଦଳି ହୋଇଯାଇଛି ।