ଫୁଲବାଣୀ ବିଧାୟକ ଦେଲେ ମାଟ୍ରିକ ପରୀକ୍ଷା

ଫୁଲବାଣୀ: ଦୀର୍ଘ ବର୍ଷର ବ୍ୟବଧାନ ପରେ ପରୀକ୍ଷା ଦେଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର । ବିଧାୟକ ଆଜି ରୁଜାଙ୍ଗି ହାଇସ୍କୁଲ ପରୀକ୍ଷା ସେଣ୍ଟରରେ ପରୀକ୍ଷା ଦେଇଛନ୍ତି । ୧୯୭୮ ମସିହାରେ ଫୁଲବାଣୀ ଏଜେଓ ହାଇସ୍କୁଲରେ ପାଠ ପଡ଼ୁଥିଲେ ବିଧାୟକ । କିନ୍ତୁ ପାରିବାରିକ ଓ ଆର୍ଥିକ ସମସ୍ୟା ପାଇଁ ପାଠରେ ବନ୍ଦା ହୋଇଥିଲା ଡୋରି । ଏହା ପରେ ଆଉ ମାଟ୍ରିକ ପରୀକ୍ଷା ଦେଇ ପାରି ନଥିଲେ ବିଧାୟକ ଅଙ୍ଗଦ କହଁର । ପରେ ରାଜନୀତିରେ ମିଶି ବିଭିନ୍ନ ପଦ ପଦବୀରେ ରହି, ବ୍ୟସ୍ତତା ଭିତରେ ଇଚ୍ଛା ଥିଲେ ବି ଆଉ ମାଟ୍ରିକ ପରୀକ୍ଷା ଦେବା ପ୍ରତି ମନ ବଳାଇ ନଥିଲେ । ବର୍ତ୍ତମାନ କିନ୍ତୁ ବୟସ୍କ ଲୋକ ମାନେ ପରୀକ୍ଷା ଦେଉଥିବା ଦେଖି ପରୀକ୍ଷା ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିବା କହିଛନ୍ତି ବିଧାୟକ ।

ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବାରୁ ସକାଳୁ ସକାଳୁ ହାତରେ ଆଡମିଟ୍ କାର୍ଡ ଧରି ଅନ୍ୟ ପରୀକ୍ଷାର୍ଥିଙ୍କ ଭଳି ପରୀକ୍ଷା ସେଣ୍ଟର ଭିତରକୁ ପ୍ରବେଶ କରିଥିଲେ ବିଧାୟକ । ନିୟମ ଅନୁସାରେ ତାଙ୍କୁ ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟତ୍ରୀ ଚେକିଂ କରିବା ପରେ ଭିତରକୁ ଛାଡିଥିଲେ । ଏବଂ ପରୀକ୍ଷା କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ମଧ୍ୟରେ ବସି ପରୀକ୍ଷା ଦେଇଥେôଲ ବିଧାୟକ ।