ନୂଆଦିଲ୍ଲୀ : କ୍ରିକେଟ ଦୁନିଆର ସବୁଠୁ ବଡ ମଞ୍ଚ ଆଇପିଏଲ ଚଳିତ ବର୍ଷ ମାର୍ଚ୍ଚ ୨୬ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏଥର ଆଇପିଏଲରେ ୧୦ଟି ଦଳ ମଧ୍ୟରେ ମୁକାବିଲା ହେବାକୁ ଥିବା ବେଳେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି । ଏଥର ଆଇପିଏଲ ପ୍ରସାରଣ ଭାର ଷ୍ଟାର ନେଟଓର୍କ ନେଇଛି । ତେବେ ଷ୍ଟାର ଆଇପିଏଲ ୨୦୨୨ର ପ୍ରସାରଣ ପାଇଁ ୮୦ଜଣିଆ ଏକ ଭାଷ୍ୟକାର ଟିମ ପ୍ରସ୍ତୁତ କରିଛି ।ଆଇପିଏଲ ଜରିଆରେ କମେଣ୍ଟ୍ରି ଦୁନିଆକୁ ଫେରୁଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ । ଏଥି ସହିତ କମେଣ୍ଟ୍ରି କ୍ଷେତ୍ରରେ ଡେବ୍ୟୁ କରିଛନ୍ତି ଭାରତୀୟ କ୍ରିକେଟର ସୁରେଶ ରୈନା । ଦୁହିଁଙ୍କୁ ହିନ୍ଦୀରେ କମେଣ୍ଟ୍ରି କରୁଥିବାର ଦର୍ଶକ ଦେଖିବାକୁ ପାଇବେ ।
ରବି ଶାସ୍ତ୍ରୀ କୋଚ୍ ପଦରେ କାର୍ଯ୍ୟକାଳ ସରିବା ପରେ କମେଣ୍ଟ୍ରି ଦୁନିଆକୁ ଫେରିବେ ବୋଲି ଆଗରୁ ସଙ୍କେତ ଦେଇଥିଲେ । ଭାରତ ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ତାଙ୍କୁ କମେଣ୍ଟ୍ରି କରିବାର ଦେଖିବାକୁ ପାଇବେ ବୋଲି ସେ ଏନେଇ ଜଣାଇଥିଲେ । ତେବେ ସେ ଆଇପିଏଲ ଜରିଆରେ ଶୀଘ୍ର କମେଣ୍ଟ୍ରି କରିବାକୁ ଯାଉଥିବା ଦେଖିବାକୁ ମିଳିବ । ଶାସ୍ତ୍ରୀ କ୍ରିକେଟରୁ ଅବସର ନେବା ପରେ ଭାଷ୍ୟକାର ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ସେ ଇଂରାଜୀ ଭାଷାରେ ଦମ୍ଦାର କମେଣ୍ଟ୍ରି କରିଥାନ୍ତି । ଆହାତ ଜନିତ ସମସ୍ୟା ଯୋଗୁ ଶାସ୍ତ୍ରୀ ୩୧ବର୍ଷ ବୟସରେ ବାଧ୍ୟ ହୋଇ କ୍ରିକେଟ ଛାଡିଥିଲେ ।
ଅନ୍ୟପଟେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ସୁରେଶ ରୈନା କମେଣ୍ଟ୍ରି ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି । ୨୦୨୨ ଆଇପିଏଲ ମେଗା ନିଲାମରେ ତାଙ୍କୁ କୌଣସି ଦଳ କିଣି ନଥିଲେ । ସେ ପୂର୍ବରୁ ଖେଳୁଥିବା ଚନ୍ନୋଇ ସୁପର କିଙ୍ଗ୍ସ ଦଲ ମଧ୍ୟ ତାଙ୍କୁ ରଖିବାକୁ ଆଗ୍ରହ ପ୍ରକାଶ କରି ନଥିଲା । ଫଳରେ ସେ କମେଣ୍ଟ୍ରି ଦୂନିଆରେ ପାଦ ଦେଇଛନ୍ତି । ସୁରେଶ ରୈନା ୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୂ ଅବସର ଗ୍ରହଣ କରିଥିଲେ ।
ସେହିଭଳି ଏଥର ଆଇପିଏଲରେ ଇଂରାଜୀରେ କମେଣ୍ଟ୍ରି କରିବେ ହର୍ଷ ଭାଗଲେ ,ସୁନୀଲ ଗାଭାସ୍କର , ମୁରଲୀ କାର୍ତ୍ତୀକ , ମାଥ୍ୟୁ ହେଡେନ ଏବଂ କେଭିର ପିଟସନା ଅଂଶ ବିଶେଷ । ସେହିଭଳି ହିନ୍ଦୀରେ କମେଣ୍ଟ୍ରି କରିବେ ଭାରତୀୟ କ୍ରିକେଟ ଦଲର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ , ସୁରେଶ ରୈନା, ଇରଫାନ ପଠାନ, ତାନ୍ୟା ପୁରୋହିତ, କିରଣ ମୋରେ, ଜତିନ ସପ୍ରୁ, ସୁରେଶ ସୁନ୍ଦରମ୍ ଓ ଆକାଶ ଚୋପ୍ରା ଭଳି ଅନେକ ପୂର୍ବତନ କ୍ରିକେଟର ।