ବିଦ୍ୟାଳୟ ଖୋଲିବା ଦାବିରେ ଧାରଣା

ଦେବଗଡ଼: ବିଦ୍ୟାଳୟ ଖୋଲିବା ଦାବିରେ ଧାରଣା ଦେଲେ ଓ ଅଧତ୍ସକାରୀଙ୍କୁ ମୁଣ୍ଡିଆ ମାରିଲେ ଛାତ୍ରଛାତ୍ରୀ । ଦେବଗଡ଼ ଜିଲ୍ଲା ତିଲେଇବାଣୀ ବ୍ଲକ ଅନ୍ତର୍ଗତ ଦନାର୍ଦ୍ଦନପାଲି ବିଦ୍ୟାଳୟକୁ ବନ୍ଦ କରିବା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ବିରୋଧ ପ୍ରଦର୍ଶନ କରିଛନ୍ତି । ଶୀଘ୍ର ବିଦ୍ୟାଳୟ ଖୋଲି ପାଠପଢା ଆରମ୍ଭ କରିବାକୁ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ଦାବୀ କରି ଗୁରୁବାର ପୂର୍ବାହ୍ନରେ ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ଧାରଣା ଦେଇଛନ୍ତି ।

୨୦୨୦ ମସିହାରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦନାର୍ଦ୍ଦନପାଲି କଲୋନୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ପାଖରେ ଥିବା ପ୍ରାଥମିକ ବିଦ୍ୟାଳୟ ସହ ମିଶାଇ ଦିଆଯାଇଥିଲା । ଯଥେଷ୍ଟ ଛାତ୍ରଛାତ୍ରୀ ନଥିବା ଯୋଗୁଁ ଏହି ବିଦ୍ୟାଳୟକୁ ବନ୍ଦ କରି ନିକଟସ୍ଥ ସ୍କୁଲକୁ ଛାତ୍ରଛାତ୍ରୀମାନେ ଯାଇ ପାଠ ପଢିବାକୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ଏହି ସରକାରୀ ନିଷ୍ପତ୍ତିକୁ ବିରୋଧ କରି ଗ୍ରାମବାସୀମାନେ ବିଦ୍ୟାଳୟରେ ତାଲା ପକାଇଥିଲେ। ପରେ କରୋନା ପରିସ୍ଥିତି ଯୋଗୁଁ ସବୁଆଡେ ବିଦ୍ୟାଳୟ ମହାବିଦ୍ୟାଳୟ ବନ୍ଦ ରହିଥିବା ବେଳେ ଏବେ ପୁଣି ଥରେ ଖୋଲାଯାଇ ପାଠ ପଢ଼ା ଆରମ୍ଭ କରାଯାଇଛି। ମାତ୍ର ସରକାରୀ ନିର୍ଦ୍ଦେଶ ଆସିନଥିବା ଦର୍ଶାଇ ଦନାର୍ଦ୍ଦନପାଲି କଲୋନୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ରଖାଯାଇଛି । ଏହାକୁ ଗ୍ରାମବାସୀମାନେ ବିରୋଧ କରି ଶୀଘ୍ର ସରକାର ବିଦ୍ୟାଳୟ ଖୋଲିବାକୁ ଦାବୀ କରିଛନ୍ତି ।

ଏନେଇ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା ପାଇଁ ଧାରଣା ସ୍ଥଳକୁ ଡେପୁଟି କଲେକ୍ଟର ଯଶୋବନ୍ତ ଦେହୁରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ଆସିଥିବା ବେଳେ ଛୋଟ ଛୋଟ ଛାତ୍ରଛାତ୍ରୀମାନେ ଉଭୟ ସରକାରୀ ଅଧିକାରୀଙ୍କ ଗୋଡ଼ ତଳେ ପଡି ପୁଣି ଥରେ ବିଦ୍ୟାଳୟ ଖୋଲିବା ପାଇଁ ଅନୁରୋଧ କରିଥିଲେ। କରୋନା ପରବର୍ତ୍ତୀ ଅବସ୍ଥାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟାଳୟ ମହାବିଦ୍ୟାଳୟ ଖୋଲା ଯାଇଥିବା ବେଳେ ଦନାର୍ଦ୍ଦନପାଲି କଲୋନୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ପୁଣିଥରେ ଖୋଲିବା ପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ଦାବୀ କରିଛନ୍ତି ।