ଉତ୍ତରପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା, ୫ ମୃତ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଟାୟାର ଫାଟିଯିବା ଫଳରେ ଅନିୟନ୍ତ୍ରିତ କାର ଡିସିଏମ ସହ ମୁହାଁମୁହିଁ ଧକ୍କା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ବୁଧବାର ଅପରାହ୍ନରେ ଏକ ଟ୍ରକ ସହ କାର ଧକ୍କା ହେବା ଫଳରେ ପ୍ରାୟ ୫ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ଜଣ ଗୁରୁତର ଆହତ ହୋଇଛନ୍ତି । ଇଟାୱା-ସାଇଫାଇ ରାସ୍ତାର ନାଗଲା ରାଠୋର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ମୃତ ବ୍ୟକ୍ତି ଇଟାୱା ଜିଲ୍ଲାର ଜସୱନ୍ତନଗରର ରାଧିକା ଫଟୋ ଷ୍ଟୁଡିଓରେ କାମ କରୁଥିବା ସୂଚନା ମିଳିଛି | ତେବେ ଘଟଣାରେ ଆହତ ପାଞ୍ଚ ଜଣଙ୍କୁ ସାଇଫାଇର ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ମାନେ ବର୍ତ୍ତମାନ ଭେଣ୍ଟିଲେଟର ସାହାରାରେ ଅଛନ୍ତି |

ସୂଚନା ଅନୁଯାୟୀ, କାରର ଟାୟାରଟି କୌଣସି କାରଣରୁ ଫାଟିଯିବା ଯିବାରୁ ଗାଡିଟି ଅନିୟନ୍ତ୍ରିତ ହୋଇଯାଇଥିଲା। ଯାହା ଫଳରେ ଗାଡ଼ିଟି ଅନିୟନ୍ତ୍ରିତ ଅବସ୍ଥାରେ ଟ୍ରକ ସହ ଧକ୍କା ହୋଇଥିଲା | ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ତେବେ ଇଟାୱା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ୱିଟ ଯୋଗେ ସମବେଦନା ଜଣାଇଛନ୍ତି। ଏହା ସହିତ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଉପଯୁକ୍ତ ଚିକିତ୍ସା ନିମନ୍ତେ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।