ବେଙ୍ଗାଲୁରୁ: ଛୁରି ଭୁସି ହତ୍ୟା । ହିଜାବ ବିବାଦ ମଧ୍ୟରେ କର୍ଣ୍ଣାଟକର ଶିବମୋଗାରେ ଜଣେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ପୋଲିସ ଅଧିକାରୀଙ୍କ ଅନୁସାରେ ରବିବାର ପ୍ରାୟ ରାତି ୯ଟା ସମୟରେ ଏହି ଘଟଣା ଘଟିଛି। ହତ୍ୟା କରାଯାଇଥିବା ୨୬ ବର୍ଷୀୟ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ନାମ ହର୍ସ ବୋଲି ଜଣା ପଡ଼ିଛି। ହର୍ଷ ହିଜାବ ବିରୋଧରେ ତାଙ୍କ ଫେସବୁକ ପ୍ରୋଫାଇଲରେ ପୋଷ୍ଟ ଲେଖିଥିଲେ ବୋଲି ପୋଲିସ କହିଛି। ସେ ଭଗୱା ସାଲକୁ ସମର୍ଥନ କରିଥିଲେ ।
ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯିବା ପରେ ଶିବମୋଗାରେ ଉତ୍ତେଜନା ବୃଦ୍ଧି ପାଇଛି । ହତ୍ୟା ପରେ ଅନେକ କାର୍ଯ୍ୟକର୍ତ୍ତା ଡାକ୍ତରଖାନାରେ ପହଞ୍ଚିବା ସହିତ ଘଟଣାକୁ ବିରୋଧ କରିଥିଲେ । ଉତ୍ତେଜନା ବଢ଼ୁଥିବା ଦେଖି ଶିବମୋଗା ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ସେଠାରେ ସ୍କୁଲ କଲେଜ ମଧ୍ୟ ବନ୍ଦ କରି ଦିଆଯାଇଛି ।
ପୋଲିସ ଏହି ମାମଲାକୁ ହିଜାବ ବିବାଦକୁ ନେଇ ଯୋଡ଼ୁଛି। କିନ୍ତୁ ପୋଲିସ ଏହି ଘଟଣାରେ ସିଧା ସଳଖ କିଛି ପ୍ରତିକ୍ରିୟା ଦେଉନାହିଁ। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି, ସେଥିପାଇଁ ପୋଲିସ ସେଠାରେ ଅଧିକ ସକ୍ରିୟ ହୋଇଛି ।
ଏହା ମଧ୍ୟରେ କର୍ଣ୍ଣାଟକର ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର ମୃତକଙ୍କ ପରିବାରକୁ ସାକ୍ଷାତ କରିଛନ୍ତି । ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ପଛରେ ୪ରୁ ୫ଜଣ ଯୁବକଙ୍କ ହାତ ଥିବା କୁହାଯାଉଛି। ଏହି ଯୁବକ କୌଣସି ସଙ୍ଗଠନ ଯଡ଼ିତ କି ନୁହେଁ ତାହା ଏବେସୁଦ୍ଧା ଜଣାପଡ଼ି ନାହିଁ। ତାପରେ ସେ କହିଛନ୍ତି ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ପାଇଁ ସତର୍କତା ଦୃଷ୍ଟିରୁ ଶିବମୋଗାରେ ସ୍କୁଲ କଲେଜଗୁଡ଼ିକୁ ୨ଦିନ ପାଇଁ ବନ୍ଦ କରିଦିଆଯାଇଛି ।