କଟକ: ଗୁଡି ମାଞ୍ଜା ସୂତାରେ କଟି ଯୁବକଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଏଭଳି ଏକ ଅଭାବନୀୟ ଘଟଣା ପରେ ୨ ମାଞ୍ଜା ସୂତା ବ୍ୟବସାୟୀଙ୍କ ସହିତ ୩ ଜଣଙ୍କୁ ଅଟକ ରଖିଛି କଟକ ଜଗତପୁର ଥାନା ପୋଲିସ । ଏଥି ସହିତ ଥାନା ପକ୍ଷରୁ ବିଭିନ୍ନ ମାଞ୍ଜା ସୂତା ବ୍ୟବସାୟୀଙ୍କ ଉପରେ ଚଢାଉ କରାଯାଇଛି ।
ସେପଟେ ଘଟଣାରେ ଏକ ମାମଲା ରୁଜୁ ହୋଇଥିବା କହିଛନ୍ତି କଟକ ଡିସିପି ପ୍ରତୀକ ସିଂ । ମାଞ୍ଜା ସୂତା ତିଆରି କରୁଥିବା ଲୋକମାନଙ୍କ ଉପରେ ଦୃଢ କାର୍ଯାନୁଷ୍ଠାନ ନିଆଯିବ । ସେଥିପାଇଁ ଏକ ସ୍ୱତନ୍ତ୍ର ଡ୍ରାଇଭ ମଧ୍ୟ ଚାଲିଛି । ତବେ ଘଟଣାରେ ଜଡିତ ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ପାଇଁ ପୋଲିସ ପକ୍ଷରୁ ଚଢାଉ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ କଟକ ଜିଲ୍ଲା ଜଗତପୁର ପୀରବଜାର ଅଞ୍ଚଳରେ ମାଞ୍ଜା ସୂତା ଲାଗି ଯୁବକଙ୍କ ମୃତ୍ୟୁ ହୋଇଥିଲା । ରବିବାର ଅପରାହ୍ନ ୪ଟା ବେଳେ ଜୟନ୍ତ ନିଜ ବାଇକ୍ ଯୋଗେ ତାଙ୍କ ସ୍ତ୍ରୀଙ୍କ ସହ ଶ୍ବଶୁର ଘରକୁ ଯାଉଥିଲେ । ପୀରବଜାର ଠାରେ ଗୁଡି ଉଡାଇବା ପାଇଁ ବ୍ୟବହାର କରାଯାଉ ଥିବା ବେଆଇନ ମାଞ୍ଜାସୂତା ତାଙ୍କ ବେକରେ ଗୁଡେଇ ହୋଇ ଯାଇଥିଲା । ସୂତାଟି ଅତି ଶକ୍ତ ଥିବାରୁ ସେଥିରେ ତାଙ୍କ ବେକ କଟି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।