୮୭ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ଭୁବନେଶ୍ୱର: ଲଗାଣ ବର୍ଷାରେ ବେହାଲ ସାରା ରାଜ୍ୟ । ପୁରୀ ଓ ଭୁବନେଶ୍ୱରରେ ରେକର୍ଡ ପରିମାଣର ବର୍ଷା ହୋଇଛି। ବର୍ଷା ପୁରୀରେ ୮୭ ବର୍ଷର ରେକର୍ଡ ଭାଙ୍ଗି ଥିବା ବେଳେ ଭୁବନେଶ୍ୱରରେ ୬୩ ବର୍ଷର ରେକର୍ଡ ଭାଙ୍ଗିଛି।

୮୭ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା। ଏହି ବର୍ଷା ହେଉଛି ଚଳିତ ମୌସୁମୀ ସିଜିନ୍ର ସବୁଠୁ ବଡ଼ ଲଘୁଚାପ। ଗତ ୫ ବର୍ଷ ମଧ୍ୟରେ ଏମିତି ବର୍ଷା ହୋଇନଥିଲା। ଖୋର୍ଦ୍ଧା, ଜଗତସିଂହପୁର, ପୁରୀରେ ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀ ଜିଲ୍ଲା କାକଟପୁରରେ ରେକର୍ଡ ୫୨୫ ମିମି ବର୍ଷା ହୋଇଛି। ୧୯୩୪ ସେପ୍ଟେମ୍ବର ୨୦ରେ ୨୩୪ମିମି ବର୍ଷା ହୋଇଥିଲା। ୮୭ ବର୍ଷ ପରେ ପୁଣି ସେପ୍ଟେମ୍ବର ମାସରେ ରେକର୍ଡ ଭାଙ୍ଗି ଅଧିକ ବର୍ଷା ହୋଇଛି ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କ ଦାସ।

ତେବେ ଲଘୁଚାପ କାରଣରୁ ୫୭ ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଯଦି ଦେଖିବା ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ୨୪ ଘଣ୍ଟା ପର୍ୟ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ। ମୌସୁମୀ ଅତ୍ୟନ୍ତ ସକ୍ରିୟ ରହିଛି। ସେପଟେ ଟ୍ୱିନସିଟିରେ ୬ ଘଣ୍ଟା ପାଇଁ ରେଡ଼ ଆଲର୍ଟ ଜାରି ହୋଇଛି। ଅକସ୍ମାତ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି ।

ଲଘୁଚାପ ଅବପାତର ରୂପ ନେବା ପରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇ ଚାନ୍ଦବାଲି ଦେଇ ଆଜି ସକାଳେ ଓଡ଼ିଶା ଉପକୂଳ ଅତିକ୍ରମ କରିଛି। ଆଜି ଦିନ ତମାମ ୭ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଲାଗି ରହିବ। ସେହି ଜିଲ୍ଲା ଗୁଡ଼ିକ ହେଉଛି- ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ନୟାଗଡ଼।