ମୁମ୍ବାଇ: ସମସ୍ତେ କୁହନ୍ତି, ଆମ ଦେଶର ପୋଲିସ କେବେ ଠିକ ସମୟରେ ଘଟଣାସ୍ଥଳରେ ପହଞ୍ଚି ପାରେନି । ସେଥିପାଇଁ ଅନେକ ସ୍ଥାନରେ ଅପରାଧୀମାନେ ନିଜ କାମ ସାରି ଆରାମରେ ଖସିଯିବାରେ ସଫଳ ହୁଅନ୍ତି । ଏ ନେଇ ପୋଲିସ ବିଭାଗକୁ ଖୁବ ଲୋକ ତାତ୍ସଲ୍ୟ ମଧ୍ୟ କରିଥାନ୍ତି । କିନ୍ତୁ ଏବେ ସମୟ ବଦଳିଛି । ଦେଶର ପୋଲିସ କର୍ମୀ ଏବେ ଆକ୍ସନ ମୁଡରେ, ସେଥିପାଇଁ ବିଭିନ୍ନ ସ୍ଥାନରୁ ଚୋରି, ହତ୍ୟା କିମ୍ବା ବଳାତ୍କାର ଘଟଣାରେ ମନରେ ଏକ ଭୟ ତିଆରି ହୋଇଛି ପୋଲିସ ଡିପାର୍ଟମେଣ୍ଟକୁ ନେଇ । ଏବେ ପୋଲିସ କୌଣସି ସ୍ଥାନରେ ପହଞଚିବାରେ କରୁନି ବିଳମ୍ବ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପାଲଘର ଅଞ୍ଚଳରେ । ପୋଲିସର ସମୟାନୁବର୍ତ୍ତିତା ଏବଂ ସଠିକ ପଦକ୍ଷେପ ପାଇଁ ବଞ୍ଚି ଯାଇଛି ଜଣେ ନିରୀହ ଯୁବକଙ୍କ ଜୀବନ । ଭୁଲ ପ୍ରମାଣିତ ହୋଇଛି ଇଣ୍ଡିଆନ ପଞ୍ଚୁଆଲିଟି କଥା ।
ଜଣେ ଯୁବକ ପ୍ରେମିକାର ବିବାହ ଅନ୍ୟ ଜଣଙ୍କ ସହ ହେବା ଘଟଣାକୁ ସହ୍ୟ କରି ନପାରି ଦୁଃଖରେ ଭାଙ୍ଗି ପଡିଥିଲେ । ପ୍ରେମକୁ ହରାଇବାର ଯନ୍ତ୍ରଣା ୨୭ ବର୍ଷୀୟ ଏହି ଯୁବକଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିଲା । ଆତ୍ମହତ୍ୟାକୁ ଶେଷ ଉପାୟ ଭାବି ସେ ଭାସାଇ(ପୂର୍ବ) ପାହାଡକୁ ଚଢିଯାଇଥିଲେ । ତେବେ ଘଟଣାସ୍ଥଳରୁ କେହି ଜଣେ ମହାରାଷ୍ଟ୍ର ପୋଲିସକୁ ଏନେଇ ସୂଚନା ଦେଇଥିଲେ । ଏହାପରେ ତିଳେ ହେଲେ ବିଳମ୍ବ କରି ନଥିଲେ ପୋଲିସ କର୍ମଚାରୀ । ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ ସେହି ଯୁବକଙ୍କ ଜୀବନ ରକ୍ଷା କରିବା ପାଇଁ । ଯୁବକଙ୍କ ଜୀବନ ବଞ୍ଚାଇବା ପାଇଁ ପୋଲିସକୁ ଅତି ମରେ ୨୦୦ ପାହାଚ ଚଢିବାକୁ ପଡିଥିଲା । ଏହାକୁ ଖାତିର ନକରି ପାହାଚ ଚଢି ଯୁବକଙ୍କୁ ଉଦ୍ଧାର କରିଥିଲା ପୋଲିସ । ଏହାପରେ ଯୁବକଙ୍କୁ ସେଠାରୁ ଆଣି ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ।
ପୋଲିସ ଠିକ ସମୟରେ ଘଟଣାସ୍ଥଳରେ ପହଞ୍ଚି ସଠିକ ପଦକ୍ଷେପ ନେଇଥିବାରୁ ଜଣେ ଯୁବକଙ୍କ ଜୀବନ ବଞ୍ଚି ଯାଇଥିଲା । ଏହା ସହିତ ଗୋଟିଏ ପରିବାର ମଧ୍ୟ ଛାରଖାର ହେବାରୁ ବଞ୍ଚି ଯାଇଛି ।