୪୧ବର୍ଷ ପରେ ସେମିରେ ପ୍ରବେଶ କଲା ଭାରତୀୟ ହକି ଦଳ

ଟୋକିଓ- ଆଜି ଭାରତ ପାଇଁ ଭଲ ଦିନଟିଏ । ଗୋଟିଏ ଦିନରେ ଦୁଇଦୁଇଟି ଖୁସି ଖବର ଆସି ପହଞ୍ଚିଛି ଟୋକିଓ ଅଲମ୍ପିକ୍ସରୁ ।ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ବ୍ରୋଞ୍ଜ ମେଡାଲ ଜିତିଥିବାବେଳେ ହକି ସେମିଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ ।ଦୀର୍ଘ ୪୧ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଛି ଭାରତୀୟ ପୁରୁଷ ହକି ଦଳ ।ଆଜି ଭାରତ ୩-୧ରେ ଗ୍ରେଟ ବ୍ରିଟେନକୁ ପରାସ୍ତ କରିବା ସହିତ ସେମିରେ ପ୍ରବେଶ କରିଛି ।ଭାରତ ପକ୍ଷରୁ ଦୀଲପ୍ରିତ ସିଂ , ଗୁରଜଣ୍ଟ ସିଂ ଓ ହାର୍ଦ୍ଦିକ ସିଂ ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ ।ପ୍ରାରମ୍ଭରୁ ଆକ୍ରମଣାତ୍ମକ ହକି ଖେଳିଥିବା ଭାରତ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ ଦୀଲପ୍ରିତ । ମ୍ୟାଚର ୭ମ ମିନିଟରେ ଦୀଲପ୍ରିତ ଗୋଲ ସ୍କୋର କରି ଭାରତକୁ ଅଗ୍ରଣୀ କରିଥିଲେ । ଏହାର ୯ ମିନିଟ ମଧ୍ୟରେ ଭାରତୀୟ ଫରୱାର୍ଡ ଗୁରଜଣ୍ଟ ସିଂ ଗୋଲ ସ୍କୋର କରି ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ । ତୃତୀୟ କ୍ୱାର୍ଟରର ଅନ୍ତିମ ମିନିଟରେ ଗ୍ରେଟ ବ୍ରିଟେନ ଲଗାତାର ୪ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା । ୩ୟ କ୍ୱାର୍ଟରର ଅନ୍ତିମ ସେକେଣ୍ଡରେ ଫିଲିପ ରୋପର ଗୋଲ ସ୍କୋର କରି ବ୍ୟବଧାନକୁ ୨-୧ରେ ପହଞ୍ଚାଇଥିଲେ । ମ୍ୟାଚ ଶେଷ ହେବାକୁ ଆଉ ୩ ମିନିଟ ଥିବା ବେଳେ ଭାରତୀୟ ସର୍କଲରୁ ବଲ ନେଇ ବ୍ରିଟେନ ସର୍କଲରେ ପହଞ୍ଚିଥିଲେ ହାର୍ଦ୍ଦିକ ସିଂ । ଏକାଧିକ ଡିଫେଣ୍ଡରଙ୍କୁ ପରାସ୍ତ କରିଥିବା ହାର୍ଦ୍ଦିକଙ୍କ ଶଟକୁ ଗୋଲକିପର କିନ୍ତୁ ରୋକି ଦେଇଥିଲେ । ତେବେ ରିବାଉଣ୍ଡରୁ ହାର୍ଦ୍ଦିକ ଗୋଲ ସ୍କୋର କରିବା ସହିତ ଭାରତକୁ ୩-୧ରେ ବିଜୟୀ କରାଇଥିଲେ । ଏହି ବିଜୟ ପରେୁ ଭାରତ ସେମି ଫାଇନାଲରେ ବେଲଜିୟମକୁ ଭେଟିବ ।