କଟକ/ଜଗନ୍ନାଥ ମହାନ୍ତି : କଟକ ସ୍ଥିତ ରାଜ୍ୟର ପ୍ରଥମ ଐତିହାସିକ ଫିଲାଟେଲିକ ବ୍ୟୁରୋକୁ ସ୍ଥାନାନ୍ତରିତ ପ୍ରସଙ୍ଗ। ବକ୍ସି ବଜାର ସ୍ଥିତ ଜିପିଓ ପରିସରରେ ଥିବା ଓଡିଶାର ପ୍ରଥମ ଫିଲାଟେଲିକ ବ୍ୟୁରୋକୁ କଟକରୁ ସ୍ଥାନାନ୍ତରିତ କରିବା ପାଇଁ ଡାକ ବିଭାଗ ପକ୍ଷରୁ ଜାରି କରାଯାଇଛି ଚିଠି। କଟକରୁ ଗୋଟିଏ ପରେ ଗୋଟିଏ ଅଫିସ ଭୁବନେଶ୍ୱର ସ୍ଥାନାନ୍ତରିତ ହେବକୁ ନେଇ ବଢି ଯାଇଛି ଆନ୍ଦୋଳନ ମନୋଭାବ । ସ୍ୱାଧୀନତା ପରେ ୧୯୪୮ ମସିହାରେ ବକ୍ସି ବଜାର ଜିପିଓ ଠାରେ ଏହି ଫିଲାଟେଲିକ ବ୍ୟୁରୋ ନିର୍ମାଣ ହୋଇଥିଲା । ଯାହା ଓଡିଶାର ପ୍ରଥମ । ଏଠାରେ ବିଭିନ୍ନ ସମୟରେ ଡାକ ବିଭାଗ ପକ୍ଷରୁ ଜାରି ହୋଇଥିବା ଟିକେଟ , ପୋଷ୍ଟଲ ସମଗ୍ରୀ ଯଥା ମେଘଦୂତ ପୋଷ୍ଟ ଗାର୍ଡ , ଲଫାପା , ମିନିଏଚର , ବିକ୍ରି କରାଯାଇ ରାଜସ୍ୱ ସଂଗ୍ରହ କରାଯାଉଥିଲା । ଏହାସହ ଡାକଟିକେଟ ପଦର୍ଶନୀ ଆୟୋଜନ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥାଏ। ୨୦୧୯ ମସିହାରେ ୫ ଲକ୍ଷ ରୁ ଉଦ୍ଧ୍ୱର୍ ଟଙ୍କାରେ ଏହି ବ୍ୟୁରୋର ନବୀକରଣ ମଧ୍ୟ ହୋଇଥିଲା । ତେବେ ରାତି ଅଧିଆ ଡାକ ବିଭାଗର ଏପରି ନିଷ୍ପତିକୁ ପୁନଃବିଚାର କରିବା ସହ କଟକର ଐତିହକୁ ଉଛେଦ ନ କରାଯାଉ ବୋଲି ଦାବି କରିଛି କଟକ ସଙ୍ଘ ।