(ଗୋପ/ ଜୟନ୍ତ ସେଠୀ): ପୁରୀ ସହରରେ ବାଇକ ଚୋରି କରୁଥିବା ଏକ ଚୋର ଗ୍ୟାଙ୍ଗକୁ ପୁରୀ ପୋଲିସ ପୁଣି ଗିରଫ କରିଛି। ମୋଟ ୧୨ ଟି ବାଇକ ଜବତ ହୋଇ ଥିବା ବେଳେ ମୋଟ ୬ ଜଣ ଗିରଫ ହୋଇଛନ୍ତି। ପୋଲିସର ସୂଚନା ଅନୁଯାୟୀ ଗତ ୧୧ ତାରିଖ ଦିନ ପୁରୀ ମୁଖ୍ୟ ଚିକିତ୍ସାଳୟରୁ ଏକ ବାଇକ ଚୋରି ହେବା ନେଇ ନାରାୟଣ ବାରିକ ନାମକ ଜଣେ ବ୍ୟକ୍ତି କୁମ୍ଭାର ପଡା ଥାନାରେ ଏତଲା ଦେଇଥିଲେ। ଏହି ଘଟଣାର ପୋଲିସ ତଦନ୍ତ କରୁଥିବା ବେଳେ ପୁରୀରେ ରହୁଥିବା ଆଲୋକ ସାମଲକୁ ପୋଲିସ ଧରିଥିଲା। ତାକୁ ପଚରା ଉଚରା ପରେ ସେ ଓ ତା ସାଥି ବାଇକ ଚୋରି କରିଥିବା ମାନି ଥିଲେ। ପରେ ତଦନ୍ତ ପରେ ୧୨ଟି ଚୋରି ହୋଇଥିବା ବାଇକ ପୋଲିସ ଉଦ୍ଧାର କରିଛି। ଏହି ଘଟଣାରେ ମଧ୍ୟ ଚୋରା ବାଇକ କିଣିଥିବା ୪ ଜଣ ବ୍ୟକ୍ତିଙ୍କ ସହ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଦିନକୁ ଦିନ ପୁରୀ ସହରରେ ବାଇକ ଚୋରି ବଢୁଥିବା ବେଳେ ଏହି ଗ୍ୟାଙ୍ଗ ଗୁଡିକୁ ଧରିବାକୁ ପୋଲିସ ଅଭିଯାନ ଜୋରଦାର କରିଛି। ଗତ କିଛିଦିନ ହେବ ଏକାଧିକ ବାଇକ ଚୋରି ଗ୍ୟାଙ୍ଗକୁ ପୁରୀ ପୋଲିସ ଧରିବାରେ ସଫଳ ହୋଇଛି ।