କମିଶନରେଟ ପୋଲିସ ଓ ଜୟ ଓଡିଶା ପକ୍ଷରୁ ରକ୍ତଦାନ ଶିବିର

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ସମଗ୍ର ବିଶ୍ଵରେ କରୋନା ବିପତ୍ତି ନିଜର ଆଧିପତ୍ୟ ସାବ୍ୟସ୍ତ କରୁଥିବା ସମୟରେ ବିଭିନ୍ନ ଚିକିତ୍ସାଳୟ ରେ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି । ବିଭିନ୍ନ ରୋଗରେ ଚିକିତ୍ସାଧୀନ ରୋଗୀଙ୍କୁ ଠିକ୍ ସମୟରେ ଉପଯୁକ୍ତ ପରିମାଣ ଓ ଗ୍ରୁପ୍ ର ରକ୍ତ ମିଳିପାରୁନାହିଁ । ଏହାକୁ ଦୃଷ୍ଟିରେ ରଖି “ଜୟ ଓଡ଼ିଶା” ଓ ଭୁବେଶ୍ଵର କମିଶନରେଟ ପୋଲିସର ମିଳିତ ଆନୁକୁଲ୍ୟରେ ମେ ୧୨ରିଖରେ ସହିଦ ନଗର ଦୁର୍ଗା ମଣ୍ଡପ ଠାରେ ଏକ ରକ୍ତଦାନ ଶିବିରର ବ୍ୟବସ୍ଥା କରାଯାଇଛି । ଏଥିରେ ଡିସିପି ଅନୁପ ସାହୁ , ଡିସିପି ଟ୍ରାଫିକ ସାଗରିକା ନା, ଜୟ ଓଡ଼ିଶାର ପ୍ରଧାନ ଉପଦେଷ୍ଟା ଅରୂପ ପଟନାୟକ ଉପସ୍ଥିତ ଥିଲେ । ଏହି ଶିବିରର ବିଶେଷତ୍ଵ ହେଉଛି ଏଥିରେ ୫୦ ପ୍ରତିଶତ ଦାତା ମହିଳା ଅଟନ୍ତି । ଏହାଛଡା କୋରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରାଯାଇଛି ଯେପରିକି,ରକ୍ତଦାନ କାର୍ୟ୍ୟ ହେବାକୁ ଥିବା ଶିବିରକୁ ପ୍ରଥମେ ଉତ୍ତମ ରୂପେ ସାନିଟାଇଜ୍ କରାଯିବ ସହ ବ୍ୟବହାର ହେବାକୁ ଥିବା ସିରିଞ୍ଜ୍,ଚାଦର ଆଦିର ସ୍ବଚ୍ଛତା ଉପରେ ବିଶେଷ ଧ୍ୟାନ ଦିଆଯାଇଛି, ସମସ୍ତ ରକ୍ତଦାତାଙ୍କ ନିମନ୍ତେ ଭିନ୍ନ ଭିନ୍ନ ସମୟ ନିର୍ଦ୍ଧାରିତ କରାଯାଇଛି । ଫଳରେ ସାମାଜିକ ଦୂରତା ରକ୍ଷା କରାଯାଇପାରିବ। ରକ୍ତଦାତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କ ଯାତାୟାତର ଦାୟିତ୍ଵ ଜୟ ଓଡ଼ିଶା ବହନ କରିଛି । ରକ୍ତଦାନ କରିବାପରେ ଉତ୍ତମ ମାନର ଖାଦ୍ୟ ପଦାର୍ଥର ବ୍ୟବସ୍ଥା ରହିଛି । ଜୟ ଓଡ଼ିଶାର ସଭାପତି ଶ୍ରୀ ରୁଦ୍ରନାରାୟଣ ସାମନ୍ତରାୟ କହିଛନ୍ତି ” ହସ୍ପିଟାଲ୍ ମାନଙ୍କରେ ରକ୍ତର ଅଭାବକୁ କିଛି ମାତ୍ରାରେ କମାଇବାକୁ ଏହି ପ୍ରୟାସ କରାଯାଇଛି । ଏଥିରେ ବିଶେଷ କରି ମହିଳା ମାନଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରାଯାଇଛି ଯାହାକି ସମାଜକୁ ନିଶ୍ଚିତ ଭାବେ ଏକ ସକାରାତ୍ମକ ବାର୍ତ୍ତା ଦେବ।ଆଗାମୀ ଦିନରେ ଏହି ରକ୍ତଦାନ ଅଭିଯାନ ଚାଲୁ ରହିବ।