(ସୌମ୍ୟ ରଜଂନ ସେଠୀ) : ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ପୂଜା ଅଗ୍ରୀମ (ଫେଷ୍ଟିଭାଲ୍ ଆଡ଼ଭାନ୍ସ)ର ରାଶିକୁ ୧୫ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଅନୁମୋଦନ କରିଛନ୍ତି ।
ଦରଦାମ ବୃଦ୍ଧିକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପାର୍ବଣ ଋତୁରେ କର୍ମଚାରୀଙ୍କୁ ଦିଆଯାଉଥିବା ପୂଜା ଅଗ୍ରୀମକୁ ବୃଦ୍ଧି କରାଯାଇଛି । ସପ୍ତମ ବେତନ କମିଶନ ସୁପାରିଶ ଅନୁସାରେ ରାଜ୍ୟ ପେ- ମାଟ୍ରିକ୍ସ ଅନୁଯାୟୀ ପେ-ଲେବୁଲ ୯ କିମ୍ବା ତା’ତଳକୁ ଥିବା କର୍ମଚାରୀ ଏହି ଅଗ୍ରୀମ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ । ଏହି ଅଗ୍ରୀମ ରାଶି ମାସର ଦରମାରୁ ୧୦ଟି ସମାନ ମାସିକ କିସ୍ତିରେ ପରିଶୋଧ କରାଯିବ । ଯେଉଁ କର୍ମଚାରୀମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅଗ୍ରୀମ ପରିଶୋଧ କରିପାରିବେ ନାହିଁ, ସେମାନେ ଋଣ ସଂପୂର୍ଣ୍ଣ ପରିଶୋଧ କରି ନପାରିବା ପର୍ୟ୍ୟନ୍ତ ପରବର୍ତୀ ବର୍ଷ ପୂଜା ଅଗ୍ରୀମ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ବୋଲି ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।