(ମମତା ସାମଲ): କୋର୍ଟ ପରିସରରୁ ମାଓବାଦୀ ଚମ୍ପଟ । ନୂଆପଡା ଏସଡିଜିଏମ କୋର୍ଟ ପରିସରରୁ ସୁରକ୍ଷାକର୍ମୀଙ୍କୁ ଧକ୍କା ଦେଇ ଦୁର୍ଦ୍ଦାନ୍ତ ମାଓବାଦୀ ମନୋଜ ମାଡକାମୀ ଚମ୍ପଟ ମାରିବା ଘଟଣାରେ ୭ ଜଣ ପୋଲିସ କର୍ମଚାରୀ ସସପେଣ୍ଡ ହୋଇଛନ୍ତି । ନିଲମ୍ବିତ ପୁଲିସ୍ କର୍ମଚାରୀମାନେ ହେଲେ ପଙ୍କଜ ତାଣ୍ଡି, ପୁଷ୍ପଲତା ସୁନାନି, ଭୋଳାନାଥ ମାଝୀ, ପାନ୍ତବାଇ ନାଏକ, ହରିଶଙ୍କର ଶବର, ଲକ୍ଷ୍ମଣ ଶବର ଓ ମଧୁସୂଦନ ମାଝୀ। ସେମାନଙ୍କ ମଧ୍ୟରେ ୨ଜଣ ଏଏସ୍ଆଇ ଅଛନ୍ତି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନୂଆପଡ଼ା ଏସ୍ପି ସେମାନଙ୍କୁ ନିଲମ୍ବନ କରିଛନ୍ତି।
ସୂଚନାଅନୁଯାୟୀ, ଗତକାଲି ଦୁର୍ଦ୍ଦାନ୍ତ ମାଓବାଦୀ ମନୋଜ ମାଡ଼କାମୀକୁ ନୂଆପଡ଼ା ଏସ୍ଡିଜିଏମ୍ କୋର୍ଟକୁ ହାଜର ପାଇଁ ନିଆଯାଇଥିଲା। ମଧ୍ୟାହ୍ନ ୧୨ଟାରେ ମନୋଜକୁ କୋର୍ଟ ପରିସରରେ ଥିବା ହାଜତରେ ରଖାଯାଇଥିଲା। ଅପରାହ୍ନ ପ୍ରାୟ ୨ଟା ବେଳେ ଦୁଇ ଜଣ ପୁଲିସ୍ କର୍ମଚାରୀ ମନୋଜକୁ ଧରି କୋର୍ଟକୁ ନେଉଥିଲେ। ଏହି ସମୟରେ ସେ ଦୁଇ ପୁଲିସ୍ କର୍ମଚାରୀଙ୍କୁ ଧକ୍କା ମାରି ପାଚେରି ଡେଇଁ ଚମ୍ପଟ ମାରିଥିଲା। ମନୋଜକୁ ଗତ ମେ’ ୩୦ରେ ଗିରଫ କରାଯାଇଥିଲା। ସେହି ଦିନଠାରୁ ତାକୁ ନୂଆପଡ଼ା ସବ୍ଜେଲରେ ରଖାଯାଇଥିଲା।