ପାନାଜୀ: ଗୋଆ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ହଡକମ୍ପ । ୪ ଦିନ ଭିତରେ ଅକ୍ସିଜେନ ଅଭାବ ଯୋଗୁ ୭୫ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଲାଣି। ଏତେ ସଂଖ୍ୟକ ଲୋକ ମେଡିକାଲ ଅକ୍ସିଜେନ ଯୋଗୁ ପ୍ରାଣ ହରାଇବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।
ଶୁକ୍ରବାର ରାତି ୧ଟାରୁ ୬ଟା ମଧ୍ୟରେ ଅକ୍ସିଜେନ ଲେବଲ ହ୍ରାସ ପାଇବାରୁ ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗୁରୁବାର ରାତିରେ ୧୫ ଜଣ ଓ ବୁଧବାର ୨୧ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ମଙ୍ଗବାର ଭୋର ୨ଟାରୁ ସକାଳ ୬ଟା ମଧ୍ୟରେ ଅକ୍ସିଜେନ ଯୋଗାଣରେ ବାଧା ଉପୁଜିବାରୁ ୨୬ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଥିଲା।
ଗୋଆ ହାଇକୋର୍ଟ ମଧ୍ୟ ସରକାର ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କୋଭିଡ୍ ପରିଚାଳନା ନୀତିକୁ ନାପସନ୍ଦ କରି ଆଜି ସନ୍ଧ୍ୟା ୭ଟା ସୁଦ୍ଧା ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ଷ୍ଟାଟସ ରିପୋର୍ଟରେ ଅକ୍ସିଜେନ ସପ୍ଲାଏ, ଟ୍ୟାଙ୍କ, କନସେନଟ୍ରଟୋରସ ଓ ଡ୍ରାଇଭରଙ୍କ ସଂଖ୍ୟା ବିଷୟରେ ଉଲ୍ଲେଖ କରାଯିବ। ଶୁଣାଣି ବେଳେ ସରକାର କହିଥିଲେ ଯେ ରାଜ୍ୟରେ ଅକ୍ସିଜେନ ପର୍ୟ୍ୟାପ୍ତ ପରିମାଣରରେ ରହିଛି। କିନ୍ତୁ ଲଜିଷ୍ଟିକ ଓ ଟ୍ରାକ୍ଟର ଟ୍ରଲିର ଅଭବାରୁ ହସ୍ପିଟାଲକୁ ଠିକ୍ ଭାବେ ଅମ୍ଳଜାନ ପହଞ୍ଚି ପାରୁନି। ଏହା ଶୁଣି ହାଇକୋର୍ଟ କହିଛନ୍ତି, ଲଜିଷ୍ଟିକ ସମସ୍ୟା ଯୋଗୁ ରାଜ୍ୟରେ କରୋନା ରୋଗୀଙ୍କୁ ମରିବାକୁ ଛଡ଼ା ଯାଇ ପାରିବ ନାହିଁ।