୫ ଦିନ ଯାଏଁ ସାରା ଓଡିଶାରେ ବର୍ଷା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥି ସହିତ ଉପକୂଳ ଓଡ଼ିଶା, ନବରଙ୍ଗପୁର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ରାୟଗଡ଼ା ଏବଂ ଢେଙ୍କାନାଳ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଝଡ଼ର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ ବୋଲି ପାଣିପାଗ କାର୍ୟ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି । ପୂର୍ବ ବିହାର, ଦକ୍ଷିଣ ତାମିଲନାଡୁ, ବିଦର୍ଭ ଏବଂ ରୟାଲ ସୀମା ଉପରେ ଏକ ଟ୍ରପ ଲାଇନ ରହିଛି। ଏଥିସହିତ ବିଦର୍ଭ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂପୃଷ୍ଠରୁ ୦.୯ କିମି ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୫ ଦିନ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କାର୍ୟ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅନୁଗୋଳରେ ୨୧.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱର ୧୧.୧, ଚାନ୍ଦବାଲି ୪.୮, ସୁନ୍ଦରଗଡ଼ ୬, ତାଳଚେର ୧୨, ବଲାଙ୍ଗୀର ୨୭, ଫୁଲବାଣୀ ୩, ସୋନପୁର ୩୫, କଟକ ୧୦.୪, ଭୁବନେଶ୍ୱର ୬.୬, ଦାରିଙ୍ଗବାଡ଼ି ୩୫, ବୌଦ୍ଧ ୨୫.୪, ଗୋପାଳପୁର ୨, ଝାରସୁଗୁଡା ୬.୪, କେନ୍ଦୁଝର ୭.୩, ଛତ୍ରପୁରରେ ୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।