ଲୋକସଭା ଗଠନ ନିମନ୍ତେ ବିଜ୍ଞପ୍ତି ଜାରିକଲା କେନ୍ଦ୍ର

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଆଜି ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ସପ୍ତଦଶ ଲୋକସଭା ଗଠନ ନିମନ୍ତେ ବିଜ୍ଞପ୍ତି ଜାରି ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଲୋକ ପ୍ରତିନିଧି ଆଇନ୍‌, ୧୯୫୧ର ଧାରା ୧୪ ଅଧୀନସ୍ଥ ଉପଧାରା (୨) ଅନୁଯାୟୀ କେନ୍ଦ୍ର କ୍ୟାବିନେଟ ୨୦୧୯ ସାଧାରଣ ନିର୍ବାଚନ ବିଜ୍ଞପ୍ତି ଜାରି ଉପରେ ମୋହର ମାରିଛନ୍ତି। ଫଳରେ ବିଜ୍ଞପ୍ତି ପ୍ରକାଶ ସହ ସପ୍ତଦଶ ଲୋକସଭା ଗଠନ ପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି।
ଷୋଡ଼ଶ ଲୋକସଭାର କାର୍ୟ୍ୟକାଳ ଜୁନ୍‌ ୩ ତାରିଖରେ ଶେଷ ହେଉଥିବାରୁ ଏହା ପୂର୍ବରୁ ସପ୍ତଦଶ ଲୋକସଭାର ଗଠନ ପ୍ରକ୍ରିୟାକୁ ଶେଷ କରିବାକୁ ନିର୍ବାଚନ କମିଶନଙ୍କୁ ଅନୁମତି ପ୍ରଦାନ କରାଯାଇଛି। ଲୋକସଭାର ୫୪୩ଟି ସଂସଦୀୟ କ୍ଷେତ୍ରରେ ଆସନ୍ତା ଅପ୍ରେଲ ୧୧ ତାରିଖ ଠାରୁ ମେ ୧୯ ତାରିଖ ପର୍ୟ୍ୟନ୍ତ ୭ଟି ପର୍ୟ୍ୟାୟରେ ଭୋଟଗ୍ରହଣ କରାଯିବ। ଏବଂ ମେ ୨୩ ତାରିଖରେ ଭୋଟ ଗଣନା କରାଯାଇ ଫଳାଫଳ ପ୍ରକାଶ ପାଇବ। ମେ ୨୯ ତାରିଖ ସୁଦ୍ଧା ସପ୍ତଦଶ ଲୋକସଭା ପାଇଁ ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବା ପାଇଁ ନିର୍ବାଚନ କମିଶନ ପୂର୍ବରୁ ସ୍ଥିର କରି ସାରିଛନ୍ତି।