ଗୋଟିଏ ଦିନରେ ପୁଣି ରେକର୍ଡ ୨୨୦୯ ସାମ୍ପଲ ଟେଷ୍ଟ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କୋରୋନକୁ ନେଇ ଦିନକୁ ଦିନ ବଢଛି ସାମ୍ପଲ ପରୀକ୍ଷଣ ସଂଖ୍ୟା । ଗତକାଲି ଗୋଟିଏ ଦିନରେ ୨୨୦୯ଟି ସାମ୍ପଲ ପରୀକ୍ଷା ହୋଇଛି । ଯାହାକି ରାଜ୍ୟରେ ପ୍ରଥମ ଏତେ ପରିମାଣରେ ଟେଷ୍ଟ କରି ରେକର୍ଡ କରାଯାଇଛି । ମଙ୍ଗଳବାର ୨ହଜାର ୨୭ଟି ନମୂନା ପରୀକ୍ଷା କରାଯାଇଥିବା ବେଳେ ବୁଧବାର ୨ହଜାର ୨୦୯ଟି ନମୂନା ପରୀକ୍ଷା କରାଯାଇଛି । ଯାହାକି ରାଜ୍ୟରେ ରେକର୍ଡ ସୃଷ୍ଟି ହୋଇଛି । ଗତକାଲି ସୁଦ୍ଧା ରାଜ୍ୟରେ ସମୁଦାୟ ୧୫ ହଜାର ୯୮୪ଟି ସାମ୍ପଲ ଟେଷ୍ଟ କରାଯାଇଛି । ତେବେ ଗତ ୨୧ ତାରିଖ ସୁଦ୍ଧା ୧୩ ହଜାର ୭୭୫ ନମୂନା ପରୀକ୍ଷା ହୋଇଥିଲା । ଯାହାକି ଗତକାଲି ୪ଟି ପଜେଟିଭ ଚିହ୍ନଟ ହୋଇଥିବା ବେଳେ ୮୩ ରେ ପଜେଟିଭ ସଂଖ୍ୟା ପହଞ୍ଚିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି । ସେପଟେ ରାଜଧାନୀ ଭୁବନେଶ୍ୱରରୁ କଣ୍ଟେନମେଣ୍ଟ ଅଞ୍ଚଳକୁ ମୁକ୍ତ କରାଯାଇଛି । ସୂର୍ଯ୍ୟନଗର, ସତ୍ୟନଗର ଓ ବମିଖାଲ ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣା ଉଠାଯାଇଛି । ଯାହାକି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ହେଲେ ଆଗାମୀ ୭ଦିନ ପର୍ଯ୍ୟନ୍ତ ଏହି ଅଞ୍ଚଳକୁ ତୀକ୍ଷ୍ନ ନଜର ରଖାଯିବ ବୋଲି କୁହାଯାଇଛି । ଗତ ୭ଦିନ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ କୌଣସି କୋରୋନା ପଜେଟିଭ ଚିହ୍ନଟ ହୋଇ ନ ଥିବା ଜଣାପଡିଛି । ଏହାକୁ ନଜରରେ ରଖି ବିଏମସି ଏଭଳି ପଦକ୍ଷେପ ଗ୍ରହଣ କରିଛି । ପୂର୍ବରୁ ଯଦୁପୁର ଓ ସୁନ୍ଦରପଦା ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣା ଉଠାଯାଇଥିବା ବେଳେ ଗତକାଲି ଏହି ତିନୋଟି ଅଞ୍ଚଳରୁ କଣ୍ଟେନମେଣ୍ଟ ମୁକ୍ତ କରାଯାଇଛି । ରାଜଧାନୀ ଭୁବନେଶ୍ୱରରୁ କେବଳ ୪୬ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେବି ୨୪ଜଣ ଚିକିତ୍ସିତ ହେଉଛନ୍ତି । ସେହିଭଳି ରାଜ୍ୟରେ ୮୩ ରେ ପହଞ୍ଚିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେଥିରୁ ୩୨ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୦ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କୋରୋନା ଜନିତ ରୋଗରେ ପଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।