ଭୁବନେଶ୍ୱର: ଗୋଟେ ପଟେ ମୌସୁମୀର ଲୁଚକାଳି ଖେଳ, ଅନ୍ୟପଟେ ଶୁଖିଲା କେନାଲ ଚାଷୀଙ୍କ ହୋସ ଉଡାଇ ଦେଇଛି। ଜୁନ୍ ସରି ଜୁଲାଇ ୩ ତାରିଖ ହେଲାଣି ତଥାପି ବର୍ଷାର ଦେଖା ନାହିଁ କହିଲେ ଚଳେ। କାଁ ଭାଁ କିଛି ସ୍ଥାନରେ ଅଳ୍ପ ଅଳ୍ପ ବର୍ଷା ହେଉଛି। ହେଲେ ତାହା ଚାଷ ପାଇଁ ପର୍ୟ୍ୟାପ୍ତ ନୁହେଁ। ବର୍ଷାର ଅଭାବ ସାଙ୍ଗକୁ କେନାଲ ଥାଇ ବି ପାଣି ନଆସିବାରୁ ଚିନ୍ତାରେ ପଡିଯାଇଛନ୍ତି ଚାଷୀକୂଳ। ଉପକୂଳ ଓଡିଶାରୁ ଉତର ଓଡିଶା, ଏବଂ ଦକ୍ଷିଣ ଓଡିଶାରେ ବି ଖରିଫ ଚାଷ ପ୍ରଭାବିତ ହୋଇଛି। ରାୟଗଡା ଜିଲ୍ଲାରେ ଚାଷୀ ହଳ କରି ତଳି ପକାଇବା ପାଇଁ ବର୍ଷାକୁ ଅନାଇ ରହିଛନ୍ତି। ଏପଟେ ବାଲେଶ୍ୱର ଜିଲ୍ଲାର ବସ୍ତା ଓ ପୁରୀ ଜିଲ୍ଲାର ପିପିଲିରେ ଉଠା ଜଳସେଚନର ପାଣିକୁ ଭରସା କରି ଚାଷୀ ତଳି ପକାଇଛନ୍ତି। କାରଣ ବର୍ଷା ନଥିବା ବେଳେ ଏସବୁ ଅଞ୍ଚଳରେ ଥିବା କେନାଲରେ ପାଣି ଆସୁନାହିଁ। ତେଣୁ ଚାଷୀ ଅସନ୍ତୋଷ ଦାନା ବାନ୍ଧୁଛି। ବର୍ଷ ବର୍ଷ ଧରି କେନାଲରେ ପାଣି ଆସୁନାହିଁ। ଯାହା ଚାଷୀଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି। ରାୟଗଡା ଜିଲ୍ଲାରେ ଚାଷୀମାନେ ପ୍ରଶାସନିକ ଅଧିକାରୀଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କୁଲି ଏମ୍ଆଇପି ଡ୍ୟାମ୍ ଗୁଆକଣା ସବ ମାଇନର କେନାଲରେ ପାଣି ଛାଡିବା ପାଇଁ ଦାବି କରି ଚାଷୀମାନେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଘେରାଉ କରିଛନ୍ତି।